ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସେପ୍ଟେମ୍ୱର ୯ ତାରିଖରେ ଭୋଟ ହବ। ହେଲେ ତା ପୂର୍ବରୁ ଅନେକ ପ୍ରକ୍ରିୟା ନିର୍ବାଚନ କମିସନଙ୍କ ପକ୍ଷରୁ କରାଯାଉଛି । ସେହି ଆଧାରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚିଠିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟର ଦାଗୀ ସାଂସଦଙ୍କ ତାଲିକା ମାଗିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ, ସିଇଓ । ଗତ ୧୪ ତାରିଖରେ ସିଇଓଙ୍କ ପକ୍ଷରୁ ଗୃହ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅନସୂଚିତ ଜାତି ଓ ଜନଜାତି, ସଂସଦୀୟ ବ୍ୟାପାର, ବିଧାନସଭା ସଚିବ ଓ ଭିଜିଲାନ୍ସକୁ ଚିଠି ଲେଖାଯାଇଛି । ଏଥିରେ କୁହାଯାଇଛି, ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଓଡିଶାର ଲୋକସଭା ଓ ରାଜ୍ୟସଭାର ଦାଗୀ ସାଂସଦଙ୍କ ତାଲିକା ଦିଅ । ଜନପ୍ରତିନିଧି ଆଇନ ୧୯୫୧, ଧାରା ୮ ଅନୁସାରେ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଅବଗତ କରାଅ । ଯଦି କେହି ଅତିକମରେ ୨ ବର୍ଷ କାରାଦଣ୍ଡ ପାଇଥିବେ ସେମାନଙ୍କ ତାଲିକା ଅଗଷ୍ଟ ୨୫ ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଛି । ନିର୍ବାଚନ କମିସନଙ୍କ ଚିଠିକୁ ଆଧାର କରି ମୁଖ୍ୟ ନିର୍ବାଚନ ଅଧିକାରୀ, ସିଇଓ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଯଦି କାହା ନାଁରେ କିଛି ଆପତ୍ତି ଥିବ ସେ ନେଇ କମିଶନଙ୍କୁ ଅବଗତ କରାଯାଇପାରିବ ।









