ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟର ୨୧ଟି ଆସନରୁ ୨୦ଟିରେ ବିଜେପି ବିଜୟୀ ହୋଇଛି ଓ କେନ୍ଦ୍ରରେ ବିଜେପିର ସରକାର ଗଠନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏସବୁ ସତ୍ତ୍ବେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟମିତ ଅବହେଳାର ଶିକାର ହୋଇଛି। ଏପରିକି ପୂର୍ବରୁ ରାଜ୍ୟରେ ବିଜେଡି ସରକାର ଥିବାବେଳେ ଓଡ଼ିଶା କେନ୍ଦ୍ରରୁ ଯେତିକି ଦାବି ହାସଲ କରୁଥିଲା, ଏବେ ବିଜେପି ସରକାର ଥାଇ ବି ଓଡ଼ିଶା ତହିଁଁରୁ କମ୍‌ ସହାୟତା ଓ ଅନୁଦାନ ପାଉଥିବା ମଧ୍ୟ ଅଭିଯୋଗ ହୋଇଛି। ବିଡ଼ମ୍ବନା ହେଉଛି ଓଡ଼ିଶାର ୨୦ ବିଜେପି ସାଂସଦ ଥିବାବେଳେ ଆନ୍ଧ୍ରରେ ବିଜେପିର ୧୯ ସହଯୋଗୀ ସାଂସଦ ସେମାନଙ୍କ ରାଜ୍ୟ ପାଇଁ କେନ୍ଦ୍ରରୁ ଅଧିକ ଅନୁଦାନ ଓ ସହାୟତା ପାଉଛନ୍ତି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରତି ଅଧିକ ଉଦାର ମନୋଭାବ ପୋଷଣ କରୁଥିବା ମଧ୍ୟ ଦେଖାଯାଉଛି। ପୋଲାଭରମ୍‌ ଓ କୋଟିଆ ବିବାଦରେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ସତ୍ତ୍ବେ ଆନ୍ଧ୍ର ସରକାରଙ୍କୁ ନାରାଜ ନ କରିବା ପାଇଁ କେନ୍ଦ୍ର ନିରବତା ଅବଲମ୍ବନ କରୁଥିବା ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ ମଧ୍ୟ କରିଛନ୍ତି। ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶରେ ବିଜେପିର ସହଯୋଗୀ ସାଂସଦ ସଂଖ୍ୟା କମ୍‌ ଥିଲେ ମଧ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାରଙ୍କ ଦାବି ଓ ପ୍ରସ୍ତାବକୁ କେନ୍ଦ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଶିଳ୍ପ, ଭିତ୍ତିଭୂମି, ରେଳବାଇ, ଆର୍ଥିକ ସହାୟତା ଓ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦୁଇ ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ସହଯୋଗର ଚିଠାକୁ ହିସାବ କଲେ ଓଡ଼ିଶା ପ୍ରତି ଅବହେଳା ବାରି ହୋଇ ପଡ଼ୁଛି। ସ୍ପର୍ଶକାତର ପ୍ରସଙ୍ଗଟି ହେଉଛି ପୂର୍ବ ସରକାର ସମୟରେ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାକୁ ବୁଝାମଣା କରିଥିବା ଅନେକ ସଂସ୍ଥା ଏବେ ଆନ୍ଧ୍ରରେ ଶିଳ୍ପ ଓ କାରଖାନା ଆରମ୍ଭ କରିବାକୁ ଯାଉଛନ୍ତି। ସେହିପରି ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନକୁ ଦେଖିଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ ଡବଲ୍‌ ଘର ମିଳିବ ବୋଲି ଲୋକେ ଆଶା କରିଥିଲେ। ମାତ୍ର କେନ୍ଦ୍ରରେ ଏନ୍‌ଡ଼ିଏ ସରକାରଙ୍କ ସହଯୋଗୀ ଟିଡ଼ିପିର ଆନ୍ଧ୍ର ଇଞ୍ଜିନ୍‌କୁ ଓଡ଼ିଶା ତୁଳନାରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଓଡ଼ିଶାରୁ ୨୮ ଲକ୍ଷ ୨୮ ହଜାର ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ମାତ୍ର ୫ ଲକ୍ଷ ଘର ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାକୁ ଦାବିର ୧୭.୬୮ ପ୍ରତିଶତ ଘର ମିଳିବ। ମାତ୍ର ଆନ୍ଧ୍ର ପ୍ରଦେଶରେ ମାତ୍ର ୩ ଲକ୍ଷ ୨୧ ହଜାର ହିତାଧିକାରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ କେନ୍ଦ୍ର ସରକାର ଆନ୍ଧ୍ର ପାଇଁ ୩ ଲକ୍ଷ ଆବାସ ଗୃହ ଆବଣ୍ଟନ କରିଛନ୍ତି। ଅର୍ଥାତ୍‌ ଦେଇଥିବା ଦାବିର ୯୩% ଆବାସ ଆନ୍ଧ୍ର ଇଞ୍ଜିନକୁ ମିଳିବ । ସେହିପରି ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲା ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଥିବାରୁ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି। ମାତ୍ର କେନ୍ଦ୍ର ବିଜେପି ସରକାର ଏହି ପ୍ରକଳ୍ପକୁ ଜାତୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ପ୍ରକଳ୍ପକୁ ଶେଷ କରିବା ଲାଗି ବିପୁଳ ଅନୁଦାନ ଦେଉଛନ୍ତି। ସେହିପରି କୋଟିଆରେ ଆନ୍ଧ୍ର ପଶି ଜବରଦସ୍ତ ଓଡ଼ିଶା ଜମିକୁ ନିଜ କବ୍‌ଜାକୁ ନେବା ଉଦ୍ୟମ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି। ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି

Leave a Comment