February 26, 2026 3:18 am

କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮କୋଟି

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାର ରେଳ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ପାଇଁ ୧୦,୯୨୮ କୋଟି ଟଙ୍କାର ଐତିହାସିକ ଅନୁଦାନ ପ୍ରଦାନ କରାଯାଇଛି, ଯାହା ‘ପୂର୍ବୋଦୟ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଥିବା ଏହି ରେକର୍ଡସଂଖ୍ୟକ ଅନୁଦାନ ରାଜ୍ୟର ପ୍ରଗତି ପଥକୁ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ରେକର୍ଡସଂଖ୍ୟକ ଅନୁଦାନ ପାଇଁ ଶ୍ରୀ ପ୍ରଧାନ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ସମୟରେ ଓଡ଼ିଶାକୁ ମିଳିଥିବା ଏହି ଅନୁଦାନ ୨୦୦୯-୧୪ ମସିହା କଂଗ୍ରେସ ସରକାର ତୁଳନାରେ ହାରାହାରି ୧୩ ଗୁଣ ଅଧିକ । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୯୦,୬୫୯ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଗତ ୧୧ ବର୍ଷରେ ରାଜ୍ୟରେ ୨,୨୦୦ କିମିର ନୂଆ ରେଳ ଟ୍ରାକ୍ ନିର୍ମାଣ ହୋଇସାରିଛି, ଯାହା ମାଲେସିଆ ଭଳି ଦେଶର ସମ୍ପୂର୍ଣ୍ଣ ରେଳ ନେଟୱର୍କଠାରୁ ମଧ୍ୟ ଅଧିକ । ଏଥିସହିତ ଓଡ଼ିଶା ଏବେ ଶତପ୍ରତିଶତ ରେଳ ବିଦ୍ୟୁତୀକରଣର ଗୌରବ ହାସଲ କରିଛି, ଯାହା ମୋଦୀ ସରକାରଙ୍କ ‘ସେବା ଓ ସୁଶାସନ’ର ଏକ ଜ୍ୱଳନ୍ତ ଉଦାହରଣ । ସେ ଆହୁରି କହିଛନ୍ତି, ଓଡ଼ିଶାରେ ‘ଅମୃତ ଷ୍ଟେସନ ଯୋଜନା’ ମାଧ୍ୟମରେ ୨,୪୩୯ କୋଟି ଟଙ୍କା ବ୍ୟୟରେ ୫୯ଟି ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଏହା ମଧ୍ୟରୁ କଟକ, ତାଳଚେର, ବାରିପଦା, ବରପାଲି, ବିମଳାଗଡ଼ ଓ ପାରଳାଖେମୁଣ୍ଡିରେ ୬ଟି ଷ୍ଟେସନର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ରାଜ୍ୟରେ ଚଳାଚଳ କରୁଥିବା ୬ଟି ବନ୍ଦେ ଭାରତ ଓ ୬ଟି ଅମୃତ ଭାରତ ଏକ୍ସପ୍ରେସ ଯାତ୍ରୀ ପରିବହନ ସେବାକୁ ଅଧିକ ସୁଗମ କରିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ୬୩୨ଟି ଫ୍ଲାଏଓଭର ଏବଂ ଅଣ୍ଡରପାସ୍ ନିର୍ମାଣ କରାଯାଇଛି ଏବଂ ଅତ୍ୟାଧୁନିକ ‘କବଚ’ ସୁରକ୍ଷା ପ୍ରଣାଳୀର ବ୍ୟାପକ ପ୍ରୟୋଗ କରାଯାଉଛି। ଚଳିତ ବଜେଟରେ ପ୍ରସ୍ତାବିତ ‘ଡେଡିକେଟେଡ୍ ଇଷ୍ଟ-ୱେଷ୍ଟ ଫ୍ରେଟ୍ କରିଡର’ ଓଡ଼ିଶାର ଅର୍ଥନୀତି ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବାକୁ ଯାଉଛି । ଏହି କରିଡର ପଶ୍ଚିମବଙ୍ଗ ଠାରୁ ଝାଡଖଣ୍ଡ ଏବଂ ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର ଓ ଗୁଜରାଟକୁ ସଂଯୋଗ କରିବା ସହ ରାଜ୍ୟର ଶିଳ୍ପାୟନ ଓ ଯାତ୍ରୀସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ।