February 26, 2026 10:48 am

୪ଟି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୬ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l କ୍ୟାବିନେଟ ବୈଠକରେ ମୋଟ ୫ ଟି ପ୍ରସ୍ତାବ ଆଗତ କରାଯାଇଥିଲା l ତନ୍ମଧ୍ୟରେ ଅର୍ଥ ବିଭାଗ ପକ୍ଷରୁ ୧ଟି ପ୍ରସ୍ତାବ ୨୦୨୬-୨୭ ବଜେଟ ସମ୍ପର୍କିତ ଥିଲା, ଯାହାର ସବିଶେଷ ଆଗାମୀ ବିଧାନ ସଭା ଅଧିବେଶନରେ ଉପସ୍ଥାପିତ ହେବ l ଗୋଟିଏ ପ୍ରସ୍ତାବ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଅନ୍ୟ ୩ଟି ଜଳସମ୍ପଦ ବିଭାଗ ଥିଲା l ଏସବୁ ୪ ଟି ପ୍ରସ୍ତାବ କ୍ୟାବିନେଟ ରେ ଅନୁମୋଦନ ଲାଭ କରିଛି ଏଥିରେ ସାଳନ୍ଦୀ ବାମ ମୁଖ୍ୟ କେନାଲରେ ଭୂତଳ ପାଇପ ମାଧ୍ୟମରେ ହେବାକୁ ଥିବା ଜଳସେଚନ ପ୍ରକଳ୍ପର ୩ଟି ଟେଣ୍ଡର ରହିଛି। ଗୋଟିଏ ପ୍ରକଳ୍ପରେ ନିର୍ମ।ଣ ବାବଦକୁ ୧୪୬ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟ ଓ ୫ ବର୍ଷ ରକ୍ଷଣାବେକ୍ଷଣ ବାବଦକୁ ୭ କୋଟି ୬୯ ଲକ୍ଷ କୋଟି ଖର୍ଚ୍ଚ ହେବ। ଏଥିରେ ରେମୁଣା ଓ ବାଲେଶ୍ବର ବ୍ଲକର ୬୭୬୫ ହେକ୍ଟର ଜମିକୁ ଜଳସେଚନ ହେବ। ଆଉ ଗୋଟିଏ ପ୍ରକଳ୍ପ ନିର୍ମ।ଣ ଖର୍ଚ୍ଚ ୧୦୭ କୋଟି ୯୬ ଲକ୍ଷ ଥିବାବେଳେ ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ୫ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିରେ ଔପଦା ଓ ରେମୁଣା ବ୍ଲକର ୫୧୭୮ ହେକ୍ଟର ଜମିକୁ ପାଣି ସୁବିଧା ମିଳିବ। ତୃତୀୟ ପ୍ରକଳ୍ପରେ ନିର୍ମ।ଣଜନିତ ଖର୍ଚ୍ଚ ୧୦୫ କୋଟି ୬୨ ଲକ୍ଷ ଓ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବାବଦରେ ୫ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିରେ ଔପଦା ଓ ବାହାନଗା ବ୍ଲକର ୪୯୨୪ ହେକ୍ଟର ଚାଷ ଜମିକୁ ପାଣି ମିଳିବ। ଏ ସମସ୍ତ ପ୍ରକଳ୍ପ ଦୁଇ ବର୍ଷରେ ସରିବ। ଶ୍ରମ ବିଭାଗର ପ୍ରସ୍ତାବ ଅନୁଯାୟୀ ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ରେଡିଓଗ୍ରାଫର ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ।ବଳୀ) ନିୟମ-2026କୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଇସଆଇ ହସ୍ପିଟାଲ ଓ ଡିସପେନସାରିରେ ରେଡିଓଗ୍ରାଫର ନିଯୁକ୍ତି ଓ ପଦୋନ୍ନତି ନେଇ ଏଥିରେ ସଂସ୍କାର ଅଣାଯାଇଛି। ଏଥିପାଇଁ ଏକ ନୂତନ କ୍ୟାଡର ନିୟମ ପ୍ରସ୍ତୁତ କରାଯାଇଛି।