ଭୁବନେଶ୍ୱର: ସପିଂ ମଲ୍ରେ ବ୍ରେଷ୍ଟ ଫିଡିଂ ସେଣ୍ଟର ଖୋଲିବା ପାଇଁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନୁରୋଧ କରିଛନ୍ତି l ଆଗକୁ ସରକାରୀ ଅଫିସ୍ ଓ ଅଭିଯୋଗ ଶୁଣାଣି ସ୍ଥାନରେ,ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଣ୍ଟର ଖୋଲାଯିବ। ବିଶ୍ୱ ସ୍ତନ ପାନ ଦିବସ ଅବସରରେ ମହିଳା କମିଶନରେ ରାଜ୍ୟର ପ୍ରଥମ ର୍ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ଖୋଲାଯାଇଛି । ବ୍ରେଷ୍ଟ ଫିଡ଼ିଂ ଦ୍ଵାରା ବ୍ରେଷ୍ଟ କ୍ୟାନସର, ଟାଇପ୍ ୨ ଡାଇବେଟିସ୍ ଭଳି ରୋଗ ମା’କୁ ହେବନି ଓ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି ବୋଲି ସେ କହିଛନ୍ତି l
ସପିଂ ମଲ୍ ଯେଉଁଗୁଡିକରେ ମହିଳା ଗ୍ରାହକ ୭୫ ପ୍ରତିଶତରୁ ଅଧିକ ସେମାନେ ମହିଳା ମାନଙ୍କ ପାଇଁ ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ନିହାତି କରିବା କଥା । ଏହା ନହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ । ପିଇବା ପାଇଁ ପାଣି, ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ବ୍ୟବସ୍ଥା ନ ହେଲେ ଆଗକୁ ତା ପାଇଁ ବ୍ୟବସ୍ଥା ସରକାର କରିବେ । ନାଲି ଆଖି ନୁହେଁ ସରକାର ସହଯୋଗ ମାଗନ୍ତି । ତେଣୁ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକୁ ନିଜ ଗ୍ରାହକଙ୍କ ପାଇଁ ଛୋଟ କୋଠରୀର ବ୍ୟବସ୍ଥା କରିବାକୁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨ଟି ୱେବସାଇଟ୍ ମଧ୍ୟ ଲଞ୍ଚ ହୋଇଛି।ଏଥି ସହିତ ମହିଳା ସମାଜକଲ୍ୟାଣ ବୋର୍ଡରେ ସମାଜସେବୀ ଯୋଡ଼ି ହେବା ପାଇଁ ଲୋକକଲ୍ୟାଣ ଆପ ଉନ୍ମୋଚନ କରାଯାଇଛି l









