ମୁମ୍ବାଇ: ବୁଧବାର ରିତୁ ତାୱଡେ (୫୩) ମୁମ୍ବାଇର ୭୮ତମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସେ ୪୪ ବର୍ଷ ପରେ ଏହି ପଦବୀ ଅଳଙ୍କୃତ କରୁଥିବା ଦ୍ୱିତୀୟ ବିଜେପି କର୍ପୋରେଟର। ଏହା ସହିତ ଶିବ ସେନାର ସଞ୍ଜୟ ଘାଡ଼ି (୫୭) ଉପମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଜାନୁଆରୀ ୧୫ରେ ହୋଇଥିବା ନଗର ନିର୍ବାଚନ ପରେ ବିଏମସି ସାଧାରଣ ସଭାର ବିଶେଷ ବୈଠକରେ ତାୱଡେ ଓ ଘାଡ଼ିଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଚୟନ କରାଯାଇଥିଲା। ଶିବ ସେନା (ୟୁବିଟି) ଓ ଅନ୍ୟାନ୍ୟ ବିପକ୍ଷ ଦଳ ଏହି ପଦ ପାଇଁ କୌଣସି ପ୍ରାର୍ଥୀ ଦାଖଲ କରିନଥିଲେ, ଯାହାର ଫଳରେ ନିର୍ବାଚନ କେବଳ ଔପଚାରିକତା ହୋଇରହିଥିଲା। ରିତୁ ତାୱଡେଙ୍କ ନିର୍ବାଚନ ସହ ମୁମ୍ବାଇର ରାଜନୀତିରେ ଠାକରେ ପରିବାରର ଦୀର୍ଘଦିନର ପ୍ରଭାବର ଶେଷ ହେଲା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ସ୍ୱାଗତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡ଼ିଶ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ବିଧାନସଭା ଅଧ୍ୟକ୍ଷ ରାହୁଲ ନାରୱେକର ସହ ବିଜେପି ଓ ଶିନ୍ଦେ ଶିବ ସେନାର ଅନ୍ୟାନ୍ୟ ନେତାମାନେ ବିଏମସି ମୁଖ୍ୟାଳୟରେ ଉପସ୍ଥିତ ଥିଲେ। ସ୍ଲୋଗାନ ଓ ଉତ୍ସାହମଧ୍ୟରେ ତାୱଡେ ନିଜ ପଦଭାର ଗ୍ରହଣ କରିଥିଲେ।ରିତୁ ତାୱଡେ ୱାର୍ଡ ୧୩୨ରୁ ଓ ସଞ୍ଜୟ ଘାଡ଼ି ୱାର୍ଡ ୫ରୁ ଗତ ମାସର ନିର୍ବାଚନରେ ବିଜୟୀ ହୋଇଥିଲେ।









