February 26, 2026 8:41 am

ଭୁବନେଶ୍ୱରରେ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଆରମ୍ଭ, ଟେକ୍ ମେଳାରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ହେବେ ସାମିଲ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ବ୍ଲାକ ସ୍ୱାନ୍ ସମ୍ମିଳନୀ। ଏହି ସମ୍ମିଳନୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି କାରଣ ଭୁବନେଶ୍ୱର ଏବେ ଗ୍ଲୋବାଲ ପ୍ଲେୟାରଙ୍କ ଫେଭରିଟ୍ ଡେଷ୍ଟିନେସନ ପାଲଟିଛି। ଓଡ଼ିଶା ଏବେ କେବଳ ପ୍ରାକୃତିକ ସମ୍ପଦରେ ନୁହେଁ, ବରଂ ଫିନଟେକ୍‌, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ବିଶ୍ୱ ନଜରକୁ ଆସିଛି। ଭାରତର ଆଗାମୀ ‘ବିଶ୍ୱ ସାମର୍ଥ୍ୟ କେନ୍ଦ୍ର’ ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ଲକ୍ଷ୍ୟରେ ଫେବୃଆରୀ ୫ ଓ ୬ ତାରିଖରେ ଭୁବନେଶ୍ୱରରେ ପ୍ରଥମ ‘ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀ’ ଆୟୋଜିତ ହୋଇଛି। ଏହି ସମ୍ମିଳନୀ ଜାତୀୟ ନୀତି ନିର୍ଦ୍ଧାରକମାନଙ୍କୁ ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟଅପ୍, ନିବେଶକ ଏବଂ ଶିକ୍ଷାବିତଙ୍କ ମଧ୍ୟରେ କାର୍ଯ୍ୟାନ୍ୱୟନମୁଖୀ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ। ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବେ। ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଆଗକୁ ବଢିବା ଓଡିଶାର ଲକ୍ଷ୍ୟ।ବିଶେଷକରି ଡିଜିଟାଲ୍ ଫାଇନାନ୍ସ, ଫିନଟେକ୍, ଇନ୍ୟୁସରଟେକ୍ ଏବଂ ଏଆଇ-ଚାଳିତ ରୂପାନ୍ତରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ଭାରତନେତ୍ର ପଦକ୍ଷେପ ଅଧୀନରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ-GFTN ସହାୟତାରେ ଏହା ଆୟୋଜିତ ହେଉଛି। ସମ୍ମିଳନୀରେ ୨୪ଟି ଦେଶର ୧୭୦୦ ରୁ ଅଧିକ ପ୍ରତିନିଧି ଏବଂ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ଏବଂ ଆଫ୍ରିକା ଭଳି ୫ଟି ମହାଦେଶରୁ ପ୍ରାୟ ୧୦୦ ଜଣ ଫାଇନାନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରର ବିଶେଷ ପ୍ରତିଭାମାନେ ଉପସ୍ଥିତ ରହିବେ। ନୀତି ନିର୍ଦ୍ଧାରକ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ନିବେଶକ ଏବଂ ବୈଷୟିକ ବିଶେଷଜ୍ଞମାନେ ଗୋଟିଏ ମଞ୍ଚରେ ଏକାଠି ହୋଇ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବେ।