April 13, 2026 8:17 pm

ପଞ୍ଚାୟତ ନିର୍ବାଚନରେ ଏକାଠି ହୋଇପାରନ୍ତି ବିଜେଡ଼ି-କଂଗ୍ରେସ: ଭକ୍ତ ଦାସ

ଭୁବନେଶ୍ୱର: ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ପୁଣି ବିଜେଡ଼ି ଓ କଂଗ୍ରେସ ଏକାଠି ହେବେ । ଯଦି ବିଜେଡ଼ି ମୁଖ୍ୟ ଏବଂ ହାଇକମାଣ୍ଡ ଚାହିଁବେ ତେବେ ମେଣ୍ଟ ହେବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଏଭଳି ମନ୍ତବ୍ୟ ପରେ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଭକ୍ତ ଦାସ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଦଳ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ରାଜ୍ୟରେ ବିଜେଡି ସୁପ୍ରିମୋ ଚାହିଁଲେ ମେଣ୍ଟ ହୋଇପାରେ । ରାଷ୍ଟ୍ର ହିତ ପାଇଁ ବିଜେଡି ଓ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ ବୋଲି ଭକ୍ତ କହିଛନ୍ତି । ପଞ୍ଚାୟତ ନିର୍ବାଚନରେ ଏକାକି ଲଢିବାକୁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଗାମୀ ଦିନରେ କଣ ହେବ,ତାହା ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ । ତେବେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିର ରଖି କଂଗ୍ରେସ ନିଜର ସଂଗଠନ ସୁଦୃଢ କରୁଛି । ସେପଟେ ପିସିସି ସଭାପତିଙ୍କ ମେଣ୍ଟ ପ୍ରସଙ୍ଗକୁ ପରୋକ୍ଷରେ ସମର୍ଥନ କରିଛନ୍ତି ବିଜେଡ଼ି ନେତା ଦେବୀପ୍ରସାଦ ମିଶ୍ର । ସମ୍ଭାବନା ସବୁ କ୍ଷେତ୍ରରେ ରହିଛି। ପିସିସି ସଭାପତି ଯଦି କହିଛନ୍ତି ତାହାଲେ କିଛି ଅନୁଧ୍ୟାନ କରି କହିଥିବେ। ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦେବୀ ।