June 26, 2025 11:30 pm

ଯୁବକଙ୍କୁ ଥାନାରେ ଅଟକ ରଖି ଆଇଆଇସି ନିଲମ୍ବିତ

ବାଲେଶ୍ୱର: ଜଣେ ଯୁବକଙ୍କୁ ବିନା କୌଣସି ଏଫଆଇଆରରେ ଥାନାରେ ଅମାନୁଷିକ ନିର୍ଯାତନା ଦେଇଥିବା ଅଭିଯୋଗରେ ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କ ବିରୋଧରେ ଏତଲା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଯୁବକଙ୍କୁ ହାତଗୋଡ଼ ବାନ୍ଧି ନିର୍ଯାତନା ଦିଆଯାଉଥିଲା । ଖବର ପାଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଥାନାରେ ପହଞ୍ଚିଥିଲେ । ଏନେଇ ବାଲେଶ୍ଵର ଏସପିଙ୍କୁ ସିଧାସଳଖ ଭିଡିଓ କଲ୍ କରି ଜଣାଇଥିଲେ । ତାଙ୍କ ହସ୍ତକ୍ଷେପ ପରେ ଏବଂ ଏସପିଙ୍କ ନିର୍ଦ୍ଦେଶକ୍ରମେ ଯୁବକ ଥାନାରୁ ଉଦ୍ଧାର ହୋଇଛନ୍ତି । ଏହା ସହିତ ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏସପି । ଆଉ ଥାନାକୁ ଆସି ତଦନ୍ତ କରିଥିଲେ ଅତିରିକ୍ତ ଏସପି ।

ସୂଚନାଯୋଗ୍ୟ, ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳଙ୍କୁ ଏକ ମଟରସାଇକେଲ ଅଦଳ ବଦଳକୁ କେନ୍ଦ୍ରକରି ତାଙ୍କ ବିରୋଧରେ ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜୟନ୍ତୀ ରଥ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ କାର୍ତ୍ତିକଙ୍କୁ ବୁଧବାର ଉଠାଇ ଆଣି ଥାନାରେ ହାତଗୋଡ ବାନ୍ଧି ଯୁବକଙ୍କୁ ନିର୍ଯାତନା ଦେଇଥିଲେ । ଦୁଇ ଦିନ ଧରି ଯୁବକଙ୍କୁ ଏମିତି ଘଟଣା ସଂପର୍କରେ ଖବର ପହଞ୍ଚିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପାଖରେ ପହଞ୍ଚିବା ପରେ ଭୋଗରାଇ ଥାନାକୁ ଆସି ଘଟଣାର ସତ୍ୟାସତ ଦେଖିଥିଲେ ।