December 6, 2025 4:28 pm

ସେପ୍ଟେମ୍ବର ୪ରେ ରାଜ୍ୟ ନିର୍ବାଚନ କମିଶନ ଘେରିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଆଗରେ କଂଗ୍ରେସ ଆସନ୍ତା ୪ ତାରିଖରେ ଧାରଣା ଦେବ। ଭୋଟ୍ ଚୋରି ଅଭିଯୋଗରେ କଂଗ୍ରେସର ପିଏସି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦଳ ପ୍ରଥମେ କଂଗ୍ରେସ ଭବନରୁ ବାହାରି ନିର୍ବାଚନ କମିଶନ ଯାଏଁ ପଦଯାତ୍ରାରେ ଯିବ। ଆଜି ଗଣାମାଧ୍ୟମକୁ ଜଣାଇଛନ୍ତି ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଦାସ । ଗତ ୭ ତାରିଖରେ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, କର୍ଣ୍ଣାଟକର ମହାଦେବପୁରା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଭୋଟ ଚୋରି ହୋଇଥିଲା । ନକଲି ନାମ, ଜାଲ ଠିକଣା ସମେତ ଗୋଟିଏ ଠିକଣାରେ ଏକାଧିକ ନାମ ପଞ୍ଜୀକରଣ ଜରିଆରେ ଲକ୍ଷାଧିକ ଭୋଟ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ । ଅନ୍ୟପଟେ, ରାହୁଲ ଗାନ୍ଧୀ ଉଠାଇଥିବା ‘ଭୋଟ ଚୋରି’ ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ କଠୋର ମନୋଭାବ ପୋଷଣ କରିଛନ୍ତି । ରବିବାର ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାହୁଲ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁ ଭୋଟ ଚୋରି ଅଭିଯୋଗ ଆଣିଛନ୍ତି ତା’ର ପ୍ରମାଣ ସହିତ ସତ୍ୟପାଠ ୭ ଦିନ ମଧ୍ୟରେ ଦେବେ। ଅନ୍ୟଥା ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ବିବେଚନା କରାଯିବ । ଆଉ ଏହି ମିଥ୍ୟା ଅଭିଯୋଗ ପାଇଁ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ ।