April 13, 2026 12:26 am

ଭକ୍ତ ଦାସଙ୍କୁ ଚ୍ୟାଲେଞ୍ଜ କଲେ ମୋକିମ୍‌, ଲେଖିଲେ ସୋନିଆଙ୍କୁ ଚିଠି

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇ ମୋକିମ୍ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ମୋକିମ୍‌ ଓଡ଼ିଶାରେ କଂଗ୍ରେସ ସ୍ଥିତି ଏବଂ ନେତୃତ୍ଵକୁ ନେଇ କହିଛନ୍ତି ଯେ , ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ଦଳର ନେତୃତ୍ୱ। ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା। ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ। ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟ୍‌ରେ ହାରିଛି। ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶାଜନକ ହୋଇଛି। ନିଜ ସଂସଦୀୟ କ୍ଷେତ୍ର ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ। ସେ ଆହୁରି ମଧ୍ୟ ପୂର୍ବ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶରତଙ୍କ ନେତୃତ୍ବରେ ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩ପ୍ରତିଶତ ଭୋଟ୍ ପାଇଥିଲା। ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ। ଆଜିକା ଦିନରେ କଂଗ୍ରେସକୁ ପୁର୍ନଜୀବନ ଦରକାର ବୋଲି ମୋକିମ୍‌ କହିଛନ୍ତି। ଏଥିପାଇଁ ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ବ ଦରକାର ବୋଲି ଚିଠିରେ ଲେଖିଛନ୍ତି ।