ନୂଆଦିଲ୍ଲୀ: ବାଂଲାଦେଶରେ ନିର୍ବାଚନୀ ମାହୋଲ ମଧ୍ୟରେ ଜଣେ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ହିନ୍ଦୁଙ୍କ ପ୍ରତି ଆକ୍ରମଣ ଥମିବାର ନାଁ ନେଉନି । ଏହି କ୍ରମରେ ଶୁକ୍ରବାର ରାତିରେ ନରସିନ୍ଦିରେ ୨୩ ବର୍ଷୀୟ ଚଞ୍ଚଲ ଭୌମିକଙ୍କୁ ତାଙ୍କରି ଦୋକାନାରେ ଜୀବନ୍ତ ଜାଳି ହତ୍ୟା କରାଯାଇଛି । ଚଞ୍ଚଲ ଘଟଣା ଦିନ ରାତିରେ ଗ୍ୟାରେଜରେ ଶୋଇଥିଲେ । ଆକ୍ରମଣକାରୀ ବାହାରେ ସଟର ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚଞ୍ଚଲ ଭିତର ପଟୁ ଯେତେ ଚିତ୍କାର କଲେ ବି କେହି ଶୁଣି ନ ଥିଲେ । ଯେ ପର୍ଯ୍ୟନ୍ତ ଚଞ୍ଚଲର ଚିତ୍କାର ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଦୋକାନ ବାହାରେ ଛିଡା ହୋଇଥିଲେ । ଚଞ୍ଚଲଙ୍କ ଉପରେ ତାଙ୍କ ମାଆ ଏବଂ ଦିବ୍ୟାଙ୍ଗ ଭାଇ ନିର୍ଭରଶୀଳ ଥିଲା । ଏହି ହିଂସାକୁ ଉସୁକାଇବାର କାମ ଚରମପନ୍ଥୀ ସଂଗଠନ ଜମାତ ଏ ଇସଲାମୀ ନେତା ଖୋଲାଖୋଲି କରୁଛନ୍ତି । ଏହି ହିଂସାକୁ ଆଉ ଟିକେ ପ୍ରୋତ୍ସାହନ ଦେବାର କାମ କରିଥିଲେ ବରଗୁନା-୨ ଆସନରୁ ପ୍ରାର୍ଥୀ ଅଫଜଲ ହୁସେନ । ସେ ନିକଟରେ ବୟାନ ଦେଇ ନିଆଁରେ ଘିଅ ଢାଳିବା କାମ କରିଥିଲେ । ଏକ ନିର୍ବାଚନୀ ସଭାରେ ସେ ଯୁକ୍ତି ବାଢିଥିଲେ ଯେ, ୮୦ ପ୍ରତିଶତ ମୁସଲିମ ବହୁଳ ଦେଶର ସଂସଦରେ ଅଣ ମୁସଲିମଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ ।









