May 14, 2026 9:59 pm

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ରଞ୍ଜିତ୍ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଘଟଣାର ମୁଖ୍ୟ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେ ହେଲା କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ଵରଗଡର ରଞ୍ଜିତ ପାତ୍ର ଓରଫ ଚିନୁ (୨୪)। କ୍ରାଇମବ୍ରାଞ୍ଚ ତାକୁ ପଚରାଉଚରା କରୁଛି। ସନ୍ଧ୍ୟା ସୁଦ୍ଧା କୋର୍ଟଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଯୁଧିଷ୍ଠିର ଜେନା ଓରଫ ବଣ୍ଟିକୁ ମେ’ ୧୧ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୂର୍ବରୁ ଏହି ଘଟଣାରେ କମିଶନରେଟ୍ ପୋଲିସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସମସ୍ତେ ଜେଲରେ ଅଛନ୍ତି। ଆଜି ଜଣଙ୍କୁ ଗିରଫ ପରେ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଉଦ୍ୟମ ଜାରି ରଖିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତ ସମୟରେ ସଂଗୃହୀତ ଯଥେଷ୍ଟ ପ୍ରମାଣ ଆଧାରରେ ମୁଖ୍ୟ ଅଭିଯୁକ୍ତ ରଞ୍ଜିତକୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ସୌମ୍ୟଙ୍କ ହାତ ଓ ଗୋଡ଼ିକୁ ଦଉଡ଼ି ଦ୍ୱାରା ବନ୍ଧାଯାଇ ନିଷ୍କ୍ରିୟ କରାଯିବା ପରେ ରଞ୍ଜିତ ନିର୍ମମ ଭାବେ ଆକ୍ରମଣ କରିଥିଲା। ସୌମ୍ୟଙ୍କ ମୁଣ୍ଡକୁ ସେ ଏକ ବାଉଁଶ ଠେଙ୍ଗାରେ ପିଟିଥିଲା। ଅନ୍ୟପକ୍ଷରେ ଏହି ଘଟଣାର ସତ୍ୟତା ଜାଣିବାକୁ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ ଚଳାଇଛି।