କେନ୍ଦୁଝର: ବଡ଼ବିଲ ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ହୋଇଥିଲା । ଯାହା କେସ ନମ୍ବର ୨୯/୨୬ ଥିଲା । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସିଯାଇଥିଲା । ସିପୁ ଘର ବିହାର, ପାଟଣା ଜିଲ୍ଲା ପିପରା ଗାଁରେ । ମୋଷ୍ଟ ୱାଣ୍ଟେଡ୍ ଆନ୍ତଃରାଜ୍ୟ ଏହି ସିପୁ ନାଁରେ ଏକାଧିକ ମାମଲା ରହିଛି । ବହୁ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର, ଡକାୟତି ଓ ଜୋର ଜବରଦସ୍ତ ବଟି ଆଦାୟ ଭଳି ସଙ୍ଗିନ ମାମଲା ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ରହିଛି । ଗତ ଏକ ସପ୍ତାହରୁ ସିପୁକୁ ଅଧିକ ଦିନ ହେବ ପୁଲିସ ଖୋଜିଖୋଜି କରି ନାକେଦମ ହୋଇ ପଡ଼ିଥିଲା । ଓଡ଼ିଶା ଝାଡ଼ଖଣ୍ଡ ସୀମାସ୍ଥିତ ଟାଙ୍କୁରା ଜଙ୍ଗଳରେ ସିପୁ ଥିବା ଖବର ପାଇ ରାତିରେ ଜଙ୍ଗଲରେ ଅପରସନ ଆରମ୍ଭ କରିଥିଲା ବଡ଼ବିଲ ପୁଲିସ । ଯେଉଁଥିରେ ସିପୁ ଖସିଯିବା ପାଇଁ ପୁଲିସ ଉପରକୁ ଗୁଳି ଚଳାଇଥିଲା । ପୁଲିସ ପାଲଟା ଗୁଳି ଚାଳନା କରିଥିଲା, ଫଳରେ ସିପୁ ଗୋଡ଼ରେ ଗୁଳି ବାଜିଥିଳା । ତାକୁ ପୁଲିସ କାବୁ କରି ଗୁରୁତର ଅବସ୍ଥାରେ ବଡ଼ବିଲ ମେଡିକାଲରେ ଭର୍ତ୍ତି କରିଛି । ପୁଲିସ ସିପୁ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ।





