May 31, 2026 12:14 am

ଯୁବତୀ ଜଳିଯିବା ମାମଲା: ବଦଳି ହେଲେ ASI ପଲେଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଯୁବତୀ ଜଳିଯିବା ମାମଲାରେ ଆକ୍ସନ୍। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ପଲେଇଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି। ପୀଡ଼ିତାଙ୍କ ବାପା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ପଲେଇଙ୍କ ନାଁରେ ଅଭିଯୋଗ କରିଥିଲେ। ତେବେ ଯୁବତୀଙ୍କ ପୋଡି ହେବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଯୁବତୀଙ୍କ ମୃତ୍ୟୁ କେମିତି ହେଲା? କେଉଁ ପରିସ୍ଥିରେ ଘର ଭିତରେ ପୋଡ଼ିଗଲେ ଯୁବତୀ? ନିଜେ ଜଳିଗଲେ ନା ତାଙ୍କୁ ଜାଳି ଦିଆଗଲା? ତାଙ୍କ ମୃତ୍ୟୁ ସହ କଥାକଥିତ ବୟଫ୍ରେଣ୍ଡର ସମ୍ପର୍କ କଣ? ଏବେ ଏସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ପୋଲିସ୍। ମୃତଦେହର ବ୍ୟବଚ୍ଛେଦରୁ ବଡ଼ ତଥ୍ୟ ମିଳିବାର ସମ୍ଭାବନା ରହିଛି। ତେଣୁ କଟକ ଏସସିବି ମେଡିକାଲ୍ କଲେଜରେ ଏହି ପ୍ରକ୍ରିୟା କରାଯିବ। ଏଥିପାଇଁ କେନ୍ଦ୍ରାପଡ଼ାରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ମୃତଦେହ ସହ କଟକ ଯିବ। ସେପଟେ କେନ୍ଦ୍ରାପଡ଼ା ଏସପି ଆଜି ପୀଡିତାଙ୍କ ଗାଁକୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ ହେଉଛି।
ସୂଚନାଥାଉ କି ଗତ କାଲି ପଟ୍ଟାମୁଣ୍ଡାଇ ଥାନା କାଠିଆପଡ଼ା ଗାଁରେ ଜଣେ ଯୁବତୀ ନିଆଁରେ ଜଳି ଯାଇଥିଲେ। ଝିଅର ଏଭଳି ଅବସ୍ଥା ପଛରେ ପୋଲିସର ଦାୟିତ୍ବପଣିଆକୁ ନେଇ ପ୍ରଶ୍ନ ବି ଉଠାଇଥିଲେ ବାପା। ତାଙ୍କ କହିବା କଥା, ଝିଅର ବୟଫ୍ରେଣ୍ଡର ଧମକ ଚମକ ସଂପର୍କରେ ଗତ ୬ରୁ ୮ ମାସ ତଳେ ଏତଲା ଦେବାକୁ ପଟ୍ଟାମୁଣ୍ଡାଇ ଥାନାକୁ ଯାଇଥିଲେ। କିନ୍ତୁ ସେଠାରେ ଥିବା ପୋଲିସ ଅଧିକାରୀ ତଥା ପଲେଇ ବାବୁ ଯୁବକର ଫୋନ ନମ୍ବର ବ୍ଲକ୍ କରିଦେବାକୁ କହିଥିଲେ। କେହି କିଛି ନଶୁଣିବାରୁ ଏବେ ଏତଲା କପିକୁ ଚିରିଦେଲି ବୋଲି ବି କହିଥିଲେ ମୃତ ଯୁବତୀଙ୍କ ବାପା।