February 26, 2026 12:27 pm

ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ

ଭୁବନେଶ୍ୱର: ଦୀପାବଳି ପାଳନ ପରେ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଯାଇଛି। କାରଣ ଗତକାଲି ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସ୍ତର ବଢିଯାଇଛି। ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାତି ୯.୩୦ ସୁଦ୍ଧା ଦୃଶ୍ୟମାନତା ୫୦୦ ମିଟରକୁ ହ୍ରାସ ପାଇଲା। ସହରର ବାୟୁ ଗୁଣବତ୍ତା “ଗମ୍ଭୀର” ବର୍ଗକୁ ଖସିଗଲା, ସନ୍ଧ୍ୟା ୭ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୬୫୭ ଛୁଇଁଛି। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ। ରସୁଲଗଡ଼, ବରମୁଣ୍ଡା ଏବଂ ପଟିଆ ଭଳି ଅଞ୍ଚଳଗୁଡ଼ିକ ବାଣ ଧୂଆଁରେ ଆଚ୍ଛାଦିତ ହୋଇଥିଲା। ଯାହା ଫଳରେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଭାବରେ ଗାଡ଼ି ଚଲାଇବା କଷ୍ଟକର ହୋଇପଡ଼ିଥିଲା କାରଣ ରାସ୍ତାରେ ଦୃଶ୍ୟମାନତା ମାତ୍ର ୨୦ ମିଟରକୁ ହ୍ରାସ ପାଇଛି। ଲକ୍ଷ୍ମୀସାଗର ଅଞ୍ଚଳରେ ବାସିନ୍ଦାମାନେ ପ୍ରଦୂଷଣ ନିୟନ୍ତ୍ରଣ ମାନଦଣ୍ଡ ଏବଂ ପୋଲିସ କଟକଣାକୁ ଉଲ୍ଲଂଘନ କରିଛନ୍ତି। ଫଳରେ ଏଠାରେ AQI ୭୫୬ କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଯଦିଓ କମିଶନରେଟ୍ ପୋଲିସ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ଦୁଇ ଘଣ୍ଟା ସମୟ ଦେଇଥିଲା, ତଥାପି ମଧ୍ୟରାତ୍ରି ପରେ ବି ବାଣ ଫୁଟିବା ଜାରି ରହିଥିଲା। ବାପୁଜୀନଗରରେ AQI ୧୭୪ ରେକର୍ଡ କରାଯାଇଛି । ସାଧାରଣତଃ ୧୦୦ ଉପରେ ଏକ୍ୟୁଆଇ କୁ ବିପଦ ବୋଲି କୁହାଯାଇଥାଏ । ବାୟୂମଣ୍ଡଳରେ ଧୂଳିକଣା ବଢିଲେ ଶ୍ବାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ସହ ଚର୍ମ ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ ।