May 30, 2026 10:32 am

ଅମରନାଥ ଯାତ୍ରା ପାଇଁ କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିକଟରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସୁରକ୍ଷା ବାହିନୀ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ୨୦୨୫ ଅମରନାଥ ଯାତ୍ରା ପାଇଁ ସବୁଠାରୁ ଅଧିକ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ ଅମରନାଥ ପୀଠ ସ୍ଥଳ ଅଭିମୁଖେ ୨ଟି ରାସ୍ତାରେ ପାଖାପାଖି ୫୦ ହଜାର ସିଆର୍‌ପିଏଫ୍‌ ଯବାନ ମୁତୟନ ହେ‌ବେ। ପ୍ରମୁଖ ସ୍ଥାନ ଗୁଡ଼ିକରେ କ୍ବିକ୍‌ ରିଆକ୍ସନ୍‌ ଟିମ୍‌ ମୁତୟନ ହେବେ। ସବୁ କନ୍‌ଭୟ ଗୁଡ଼ିକରେ ସାଟେଲାଇଟ୍‌ ଫୋନ୍‌ ଏବଂ ଜାମର୍‌ ଲାଗିବ। ଯେତେବେଳେ ଯାତ୍ରୀ କନ୍‌ଭୟ ଯିବ ସେ ସମୟରେ ଜାତୀୟ ରାଜପଥ ସହ ଯୋଡ଼ି ହୋଇଥିବା ସମସ୍ତ ରାସ୍ତା ବନ୍ଦ ରହିବ। ୩୮ ଦିନର ତୀର୍ଥଯାତ୍ରା ସମୟରେ ଉଭୟ ପହଲଗାମ ଏବଂ ବାଲଟାଲ୍‌ ରୁଟ୍‌ରେ ସର୍ଭେଲାନ୍ସ ଡ୍ରୋନ୍‌ ମୁତୟନ ହେବ।