February 26, 2026 8:40 am

AI ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାରଙ୍କ କଡା ନିୟମ

ନୂଆଦିଲ୍ଲୀ: ଭାରତ ସରକାର AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏବେ ଯେକୌଣସି ଆପତ୍ତିଜନକ ବିଷୟବସ୍ତୁକୁ ମାତ୍ର ୩ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ଏହି ନିୟମ ଫେବୃଆରୀ ୧୦ରେ ଅଧିସୂଚିତ ହୋଇଥିବା ବେଳେ ଫେବୃଆରୀ ୨୦ ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ।ଯଦି କୌଣସି ଅଡିଓ, ଭିଡିଓ କିମ୍ବା ଫଟୋ AI ସାହାଯ୍ୟରେ ତିଆରି କରାଯାଇଛି, ତେବେ ପ୍ଲାଟଫର୍ମଗୁଡ଼ିକୁ ସେଥିରେ ସ୍ପଷ୍ଟ ଭାବେ ‘AI Generated’ ଲେବଲ୍ ଲଗାଇବାକୁ ହେବ। ଏହାକୁ ‘ସିନ୍ଥେଟିକାଲି ଜେନେରେଟେଡ୍ ଇନଫର୍ମେସନ୍’ (SGI) ଶ୍ରେଣୀଭୁକ୍ତ କରାଯାଇଛି।ପୂର୍ବରୁ କୌଣସି କ୍ଷତିକାରକ ପୋଷ୍ଟ ହଟାଇବା ପାଇଁ ୩୬ ଘଣ୍ଟା ସମୟ ମିଳୁଥିବା ବେଳେ, ଏବେ ଏହାକୁ କମାଇ ମାତ୍ର ୩ ଘଣ୍ଟା କରାଯାଇଛି। ସେହିପରି ଅନ୍ୟାନ୍ୟ ଅଭିଯୋଗର ସମାଧାନ ସମୟ ସୀମା ମଧ୍ୟ ୧୫ ଦିନରୁ ୭ ଦିନକୁ ହ୍ରାସ କରାଯାଇଛି। ବର୍ତ୍ତମାନ ବ୍ୟବହାରକାରୀମାନେ କୌଣସି ବିଷୟବସ୍ତୁ ଅପଲୋଡ୍ କରିବା ସମୟରେ ତାହା AI ଦ୍ୱାରା ପ୍ରସ୍ତୁତ କି ନୁହେଁ, ସେ ନେଇ ଘୋଷଣା କରିବାକୁ ବାଧ୍ୟ। ପ୍ଲାଟଫର୍ମଗୁଡ଼ିକୁ ସ୍ୱୟଂଚାଳିତ ଟୁଲ୍ସ ବ୍ୟବହାର କରି ଏହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ପଡ଼ିବ।କଣ୍ଟେଣ୍ଟରେ ମେଟାଡାଟା ବା ବିଶେଷ ଚିହ୍ନଟ ପ୍ରକ୍ରିୟା ବ୍ୟବହାର କରାଯିବ, ଯାହାଦ୍ୱାରା ଭ୍ରମାତ୍ମକ ଡିପଫେକ୍ ଭିଡିଓ ପ୍ରକୃତରେ କେଉଁଠୁ ଆରମ୍ଭ ହୋଇଛି ତାହା ଜଣାପଡ଼ିବ। ଏହି ମେଟାଡାଟାକୁ ହଟାଇବା ବା ସେଥିରେ ହେରଫେର୍ କରିବା ନିଷେଧ।ଶିଶୁ ଯୌନ ନିର୍ଯାତନା, ଜାଲିଆତି କିମ୍ବା ଅସଦାଚରଣ ପାଇଁ AI ର ବ୍ୟବହାର ହେଲେ, ତାହାକୁ ସାଧାରଣ ଅପରାଧ ଭଳି ବିଚାର କରାଯିବ।