June 26, 2025 2:49 pm

ବନ୍ଦ ପଡିଛି ମୟୁରଭଞ୍ଜ ଆୟୁର୍ବେଦିକ କଲେଜ

  • ଆୟୁର୍ବେଦିକ ଔଷଧ କାରଖାନା ପ୍ରତିଷ୍ଠା ପାଇଁ ଦାବୀ 
  • ସରକାରୀ ଉଦାସୀନତା ପାଇଁ ମୁଣ୍ଡ ଟେକୁଛି ଜନ ଆନ୍ଦୋଳନ

ଦୀପକ କୁମାର ନାୟକ

ମୟୂରଭଞ୍ଜ: ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ନିମନ୍ତେ ଶିମିଳିପାଳ ଜୈବ ମଣ୍ଡଳରେ ପ୍ରଚୁର କଞ୍ଚାମାଲ ଉପଲବ୍ଧ ଥିବାରୁ ତାହାର ସଦ ବ୍ୟବହାର କରାଯାଇ ମୟୂରଭଞ୍ଜ ଜିଲାରେ ଏକ ବୃହତ ଆୟୁର୍ବେଦିକ ଔଷଧ କାରଖାନା ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେବ ଦାବୀ ହୋଇ ଆସୁଛି । ସେହିପରି ବାରିପଦାରେ ଥିବା ଉତ୍ତର ଓଡ଼ିଶାର ଏକ ମାତ୍ର ଆୟୁର୍ବେଦିକ କଲେଜ ଦୀର୍ଘବର୍ଷ ହେଲା ରାଜନୈତିକ ଇଛାଶକ୍ତି ଅଭାବରୁ ଖୋଲା ଯାଇ ପାରୁନଥିବା ବେଳେ, ମୂଲ୍ୟବାନ କୋଠା ଏବଂ ଯନ୍ତ୍ରପାତି ସବୁ ଖତ ଖାଉଛି. ଏଠାରେ ଚାକିରୀ କରିଥିବା ଅଧ୍ୟାପକ ଏବଂ କର୍ମଚାରୀ ମାନେ ଦରମା ନପାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି. କିଛି ମରିହଜି ଗଲେଣି. ବିଭିନ୍ନ ନିର୍ବାଚନୀ ସଭାରେ ମୟୁରଭଞ୍ଜ ଆୟୁର୍ବେଦିକ କଲେଜ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ପ୍ରତିଶୃତି ପାଣିର ଗାର ପାଲଟିଛି।

ଏବାବଦରେ  ମୟୂରଭଞ୍ଜ ବୁଦ୍ଧିଜୀବି ମଞ୍ଚ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ ମଧ୍ୟ କରାଯାଇଛି. ତେବେ ସ୍ୱତନ୍ତ୍ର ମୟୂରଭଞ୍ଜ ରାଜ୍ୟ ଓଡ଼ିଶାର ଏକ ଜିଲ୍ଲା ଭାବେ ମିଶ୍ରଣ ପରଠାରୁ ଦୀର୍ଘ 75 ବର୍ଷ ଧରି ସବୁଦିଗରୁ ଅବହେଳିତ ହୋଇ ରହିଥିବା ସହିତ ଆଞ୍ଚଳିକ ବୈଷମ୍ୟତାର ଶିକାର ହୋଇଥିବା ନେଇ ବିଭିନ୍ନ ସମୟରେ ଜିଲ୍ଲାର ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଥିବାର ଦେଖା ଯାଉଛି. ମୟୂରଭଞ୍ଜରେ ଏହି ଆୟୁର୍ବେଦିକ ଔଷଧ କାରଖାନା ପ୍ରତିଷ୍ଠା ହେଲେ ଶିମିଳିପାଳ ଭିତରେ ରହିଥିବା ବହୁ ଔଷଧୀୟ ବୃକ୍ଷ, ଗୁଳ୍ମ ଆଦି ବିଷୟରେ ଅଧିକ ଗବେଷଣାର ସୁଯୋଗ ମିଳିବା ସହିତ ଜିଲ୍ଲାର ବହୁ ଶିକ୍ଷିତ ବେକାର କର୍ମ ସଂସ୍ଥାନ ମଧ୍ୟ ପାଇ ପାରନ୍ତେ. ସରକାର ଜିଲ୍ଲାର ଏହି ନ୍ୟାର୍ଯ୍ୟ ଦାବୀ ଗୁଡିକୁ ପୁରଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁ ନଥିବାରୁ ଆଗାମୀ ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି.