ନ୍ୟୁୟର୍କ: ଆମେରିକାର ଓରେଗନ୍ ସ୍ଥିତ ମ୍ୟାକମିନଭିଲ୍ଲ ବିମାନବନ୍ଦର ନିକଟ ଆକାଶମାର୍ଗରେ ଦୁଇଟି ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିମାନବନ୍ଦରଟି ପୋର୍ଟଲ୍ୟାଣ୍ଡ ସହରର ଦକ୍ଷିଣ-ପଶ୍ଚିମରେ ପ୍ରାୟ ୪୦ ମାଇଲ ଦୂରରେ ଅବସ୍ଥିତ। ଖବର ପାଇ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେରିଫ୍ ସାମ୍ ଏଲିଅଟ୍ଙ୍କ ସୂଚନା ଅନୁଯାୟୀ, ପ୍ରଥମ ହେଲିକପ୍ଟରରେ ଟେକ୍ସାସର ଜଣେ ବିମାନ ଉଡ଼ାଣ ପ୍ରଶିକ୍ଷକ ଏବଂ ଯୁକ୍ତରାଜ୍ୟର ଜଣେ ଶିକ୍ଷାର୍ଥୀ ପାଇଲଟ୍ ଥିଲେ। ସେହିପରି ଦ୍ୱିତୀୟ ହେଲିକପ୍ଟରରେ ସ୍ଥାନୀୟ ନ୍ୟୁବର୍ଗ ଅଞ୍ଚଳର ଜଣେ ପାଇଲଟ୍ ଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଉଭୟ ହେଲିକପ୍ଟରରେ ଥିବା ସମସ୍ତ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଉକ୍ତ ସ୍ଥାନକୁ ନଯିବା ପାଇଁ ଅନୁରୋଧ କରାଯାଇଛି।