May 31, 2026 12:14 am

ରାଜ୍ୟବ୍ୟାପୀ ବିଜେଡି ପାଳିବ ୨୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହେବ। ଏହା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଶନିବାର ଦିନ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହି ସୂଚନା ପ୍ରଦାନ କରିଥିଲେ । ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଡିସେମ୍ବର ୨୬ ତାରିଖରେ ୨୯ ତମ ପ୍ରତିଷ୍ଠା ଦିବସ ପାଳନ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଆଗାମୀ ବର୍ଷର କାର୍ଯ୍ୟକ୍ରମ ପାଇଁ ମହତ୍ତ୍ୱପୂର୍ଣ୍ଣ ହେବ । ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଡିସେମ୍ବର ୨୬ ତାରିଖ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଦଳ ପକ୍ଷରୁ ଭୁବନେଶ୍ୱର “ଶଙ୍ଖ ଭବନ”ଠାରେ ପାଳନ କରାଯିବ । ଏଥିରେ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ଯୋଗଦେବେ । ସାମ୍ପ୍ରତିକ ପରିସ୍ଥିତିରେ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶା ବିକାଶର ଆଭିମୁଖ୍ୟକୁ ଆଗେଇନେବା ସହିତ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକରେ ଜନସାଧାରଣଙ୍କୁ ସଚେତନ କରେଇବା ଓ ଓଡିଶାର ତଥା ଲୋକଙ୍କର ସ୍ୱାର୍ଥକୁ ନେଇ ସ୍ୱର ଉତ୍ତୋଳନ କରିବ । ଓଡିଶାବାସୀଙ୍କ ଭଲ ପାଇବାକୁ ପାଥେୟ କରି ବିଜେଡି ତା’ର କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଆଗକୁ ମଧ୍ୟ ଜାରି ରଖିବ ।