ରାଜ୍ୟ କ୍ୟାବିନେଟ୍‌ର ୪୭ତମ ବୈଠକରେ ୧୨ ବିଭାଗର ୧୮ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ବିଦ୍ୟୁତ, ଶିକ୍ଷା, ନିଯୁକ୍ତି ଓ ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନାକୁ ନେଇ କ୍ୟାବିନେଟ୍ ବଡ ନିଷ୍ପତ୍ତି ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ, ୨୦୨୬ ଲାଗୁ କରିବାକୁ ଅନୁମୋଦନ ମିଳିଛି। ଏହା ସହ ୨୦୦୩ ଓ ୨୦୧୯ର ୟୁନିଫର୍ମ ପଲିସିକୁ ବାତିଲ କରାଯାଇଛି। ନୂଆ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ, GIS ମ୍ୟାପିଂ ଏବଂ ଭୂଲେଖ ସହ ସଂଯୋଗ ଭଳି ବ୍ୟବସ୍ଥା ରହିବ। BMV/ALSS ମଧ୍ୟରୁ ଯେଉଁ ହାର ଅଧିକ ହେବ, ସେହି ହାରରେ ସେଟଲମେଣ୍ଟ କରାଯିବ। ଜମି କାରବାରରେ ଜାଲିଆତି ରୋକିବା ପାଇଁ ମଧ୍ୟ କଡ଼ା ପ୍ରାବଧାନ ରହିବ। ସେହିପରି ବିଦ୍ୟୁତ କ୍ଷେତ୍ର ପାଇଁ ସବୁଠାରୁ ବଡ଼ ନିବେଶ ଭାବେ ୧୫,୯୪୮.୭୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ ମିଳିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ଏହାସହ ଖୁଣ୍ଟୁଣୀ, ଡୁବୁରୀ ଓ କୋଲାବିରାରେ ୩ଟି ନୂଆ ଗ୍ରିଡ୍ ସବ୍‌ଷ୍ଟେସନ୍ ନିର୍ମାଣ ହେବ । ରାଜ୍ୟରେ ୪୦୦ କେଭି ନେଟୱାର୍କ ୫ଟିରୁ ବୃଦ୍ଧି ପାଇ ୧୩ଟି ହେବାକୁ ଥିବାବେଳେ ୨୨୦ କେଭି ନେଟୱାର୍କ ୪୮ରୁ ୭୫କୁ ବୃଦ୍ଧି କରାଯିବ। ହୀରାକୁଦ ଓ ଇନ୍ଦ୍ରାବତୀରେ ଫ୍ଲୋଟିଂ ସୋଲାର ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ନେଟୱାର୍କ ସହିତ AI ଆଧାରିତ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ। ଏହା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆସିଛି ନୂଆ ଯୋଜନା। ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଅଧୀନରେ ସରକାରୀ ସ୍କୁଲଗୁଡ଼ିକ ପାଇଁ ଦାନ କରାଗଲେ ସରକାର ତାହାର ଦୁଇଗୁଣା ଅର୍ଥ ମ୍ୟାଚିଂ ଗ୍ରାଣ୍ଟ ଭାବେ ଦେବେ। ଅର୍ଥାତ୍, ଦାତା ୧ ଟଙ୍କା ଦାନ କଲେ ସରକାର ୨ ଟଙ୍କା ଦେବ। ତେବେ ସରକାରୀ ମ୍ୟାଚିଂ ଗ୍ରାଣ୍ଟର ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା ରହିବ। ଏହି ଯୋଜନାରେ ୫ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ସରକାରୀ ଚାକିରି ଆଶାୟୀ ଯୁବକଯୁବତୀ ଏଣିକି ବିଭିନ୍ନ ପରୀକ୍ଷା ପାଇଁ ଆଉ ବର୍ଷବର୍ଷ ଧରି ଅପେକ୍ଷା କରିବେ ନାହିଁ। ଗୋଟିଏ କମ୍ବାଇନଡ୍ ପରୀକ୍ଷା ମାଧ୍ୟମରେ ଚାକିରି କରିବାର ସୁଯୋଗ ପାଇପାରିବେ। ସେହିପରି ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଯଦି କୌଣସି କାରଣରୁ ନିଜର ପେନସନ୍ ପାଇବାରେ ବର୍ଷେରୁ ଅଧିକ ବିଳମ୍ବ ହୁଏ ତା’ହେଲେ ସରକାର ତାଙ୍କୁ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବେ।

Leave a Comment