March 25, 2026 5:33 pm

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (RDE) କାର୍ଯ୍ୟାଳୟର ଅଡିଟର ଅମ୍ବିକା ପ୍ରସାଦ ରଥ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜଣେ କଲେଜ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଖୋର୍ଦ୍ଧା ଜିଲ୍ଲାର ଏକ ଡିଗ୍ରୀ କଲେଜ କର୍ମଚାରୀଙ୍କ ସର୍ଭିସ୍ ବୁକ୍ ଅନୁଯାୟୀ MACP ଯୋଜନାରେ ଦରମା ନିର୍ଦ୍ଧାରଣ ଓ ସେବା ଯାଞ୍ଚ ପାଇଁ ସେ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଗତକାଲି (ମଙ୍ଗଳବାର) ଏକ ଜାଲ ବିଛାଇ ଅଡିଟରଙ୍କୁ ଲାଞ୍ଚ ଟଙ୍କା ସହ ରଙ୍ଗେ ହାତ ଗିରଫ କରିଥିଲା। ତେବେ ଚଢ଼ାଉ ବେଳେ ତାଙ୍କ ପାଖରୁ ମିଳିଥିବା ବିପୁଳ ପରିମାଣର ନଗଦ ଅର୍ଥ ସମସ୍ତଙ୍କୁ ଚକିତ କରିଛି। ତାଙ୍କ ଅଫିସ ଟେବୁଲ ଡ୍ରୟରୁ ୧,୨୮,୦୦୦ ଟଙ୍କା ଜବତ ହୋଇଥିବା ବେଳେ ବାସଭବନରେ ଚଢ଼ାଉ କରାଯାଇ ଆହୁରି ୨୭,୪୨,୯୦୦ ଟଙ୍କା ଜବତ କରାଯାଇଛି। ସମୁଦାୟ ପ୍ରାୟ ୨୮,୭୦,୯୦୦ ଟଙ୍କା ପୋଲିସ ଜବତ କରିଛି। ଏହି ଘଟଣା ଏବେ ଶିକ୍ଷା ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।