May 30, 2026 11:43 pm

ଲାଞ୍ଚ ନେଇ ଧରା ପଡିଲେ SCB ମେଡିକାଲ ର ଆସୋସିଏଟ୍‌ ପ୍ରଫେସର

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରା ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି। ହେପାଟୋଲୋଜି ବିଭାଗର ସହକାରୀ ପ୍ରଫେସର ଥିବା ବେହେରା l ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିଲେ। ଏନେଇ ଭିଜିଲାନ୍ସ ପାଖରେ ବିଶ୍ୱସ୍ତ ସୂଚନା ରହିଥିଲା। ଗୁରୁବାର ଡାକ୍ତର ବେହେରା ନିଜ ସ୍କୁଟିରେ ସରକାରୀ ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା। ତଲାସି ବେଳେ ତାଙ୍କ ପାଖରୁ ନଗଦ ଟଙ୍କା ମିଳିଥିଲା, ଯାହାର କୌଣସି ସଠିକ୍ ହିସାବ ସେ ଦେଇପାରିନଥିଲେ। ଏହାପରେ ଡାକ୍ତର ବେହେରାଙ୍କୁ ଅଟକ ରଖି ତାଙ୍କ ସହ ସଂପୃକ୍ତ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଶଙ୍କାରେ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି।