April 12, 2026 4:59 am

ରେଳ ଷ୍ଟେସନରେ ଗୁପ୍ତ ସୋଲାର୍ କ୍ୟାମେରା ଲଗାଇ ପାକିସ୍ତାନୀ ହ୍ୟାଣ୍ଡଲରମାନଙ୍କୁ ଗୁପ୍ତ ତଥ୍ୟ ଯୋଗାଉଥିବା ଗ୍ୟାଙ୍ଗ କୁ ଧରିଲା ପୁଲିସ

ନୂଆଦିଲ୍ଲୀ:ଦିଲ୍ଲୀ ଏବଂ ହରିୟାଣା ଭଳି ବ୍ୟସ୍ତବହୁଳ ରେଳ ଷ୍ଟେସନରେ ଗୁପ୍ତ ସୋଲାର୍ କ୍ୟାମେରା ଲଗାଇ ପାକିସ୍ତାନୀ ହ୍ୟାଣ୍ଡଲରମାନଙ୍କୁ ଦେଶର ଗୁପ୍ତ ତଥ୍ୟ ଯୋଗାଉଥିବା ଏକ ବଡ଼ ଗ୍ୟାଙ୍ଗ୍ ଏବେ ପୁଲିସ ହାତରେ ଲାଗିଛି । ଏହି ସାଙ୍ଘାତିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ଗାଜିଆବାଦ ପୁଲିସ lଏହି ମାମଲାରେ ପୁଲିସ ଫରିଦାବାଦରୁ ନୌସାଦ ଅଲ୍ଲି ଓରଫ ଲାଲୁକୁ ଗିରଫ କରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତ ଗୋଟିଏ ପେଟ୍ରୋଲ୍ ପମ୍ପରେ ପଙ୍କଚର ଦୋକାନ ଖୋଲି ପାକ୍ ନେଟୱର୍କର ପରିଚାଳନା କରୁଥିଲା । ଆଉ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ୟାଙ୍ଗର ନେତା ସୁହେଲ ସମେତ ୨୨ ଜଣଙ୍କୁ ଗିରଫ କରିଛି ଗାଜିଆବାଦ ପୁଲିସ ।ଅଭିଯୁକ୍ତ ନୌଶାଦ ମୁଳତଃ ବିହାର ମୁଜାଫରପୁରର ବାସିନ୍ଦା । ତାଙ୍କୁ ଫରିଦାବାଦର ନାଚୋଲି ଗାଁରେ ପଙ୍କଚର ଦୋକାନ ଖୋଲିବା ପାଇଁ ସ୍ବତନ୍ତ୍ର ଭାବରେ କୋଲକାତାରୁ ଅଣାଯାଇଥିଲା । ପୁଲିସର ତଦନ୍ତ ଅନୁଯାୟୀ ସୁରକ୍ଷା ଏଜେନ୍ସିଗୁଡ଼ିକର ଦୃଷ୍ଟି ଏଡ଼ାଇବା ସହିତ ଗୁପ୍ତଚର କାର୍ଯ୍ୟକଳାପ ଚଳାଇବା ପାଇଁ ଏହି ଦୋକାନ ଟି ଖୋଲା ଯାଇଥିଲା । ପଚରାଉଚରାରୁ ଜଣାପଡ଼ିଛି ଯେ ନେଟୱାର୍କର ସଦସ୍ୟମାନେ ହ୍ୱାଟସଆପ୍ ଗ୍ରୁପ୍ ମାଧ୍ୟମରେ ରେଳ ଷ୍ଟେସନ ଏବଂ ସାମରିକ ଘାଟିର ଫଟୋ ଏବଂ ଭିଡିଓ ପାକିସ୍ତାନକୁ ପଠାଉଥିଲେ । ପ୍ରତିଟି ଫଟୋ ଏବଂ ଭିଡିଓ ପାଇଁ ଏମାନଙ୍କୁ ୪ ରୁ ୬ ହଜାର ଟଙ୍କା ମିଳୁଥିଲା ।ପୁଲିସ ଦିଲ୍ଲୀ ଏବଂ ସୋନିପତରେ ଲଗାଯାଇଥିବା କିଛି କ୍ୟାମେରା ଉଦ୍ଧାର କରିଛି ଯାହାକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । ଯାଞ୍ଚ୍ କରୁଥିବା ଟିମ୍ ଏବେ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି ଯେ ଏହି କ୍ୟାମେରାଗୁଡ଼ିକ ଲଗାଇବାରେ କିଏ ସାହାଯ୍ୟ କରିଥିଲା ଏବଂ ଷଡଯନ୍ତ୍ରରେ କେହି ରେଳ କର୍ମଚାରୀ ସାମିଲ ଥିଲେ କି ନାହିଁ । ତେବେ ଏହି ମାମଲା ଦେଶର ସୁରକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ପୁଲିସ ଗ୍ୟାଙ୍ଗର ବ୍ୟାଙ୍କ ଆକାଉଣ୍ଟ ଏବଂ ହ୍ୱାଟସଆପ୍ ଚାଟ୍ ଯାଞ୍ଚ କରୁଛି ଯାହା ଦ୍ୱାରା ଟଙ୍କା କେଉଁଠାରୁ ଆସୁଥିଲା ତାହା ଜଣାପଡ଼ିବ ।