April 12, 2026 10:37 pm

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ ହେବ: ଇସ୍ପାତ ମନ୍ତ୍ରୀ

ରାଉରକେଲା: ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ସୂଚନା ଦେଇଛନ୍ତି ଯେ ଆଗାମୀ ୩ରୁ ୪ ବର୍ଷରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ ହେବ । ମନ୍ତ୍ରୀ କହିଛନ୍ତି, ‘ରାଉରକେଲା ବିମାନ ବନ୍ଦର ସହ ଷ୍ଟିଲ୍ ପ୍ଲାଣ୍ଟର ମଧ୍ୟ ଉନ୍ନତି କରାଯିବ। ଆଗାମୀ ୪ ମାସରେ ରାଉରକେଲା ବିମାନ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା ହୋଇଛି।’ ରାଜ୍ୟର ସର୍ବ ପୂରାତନ ସରକାରୀ ଷ୍ଟିଲ୍‍ ପ୍ଲାଣ୍ଟ ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟର ସମ୍ପ୍ରସାରଣ ହେବ। ଏନେଇ ପୂର୍ବରୁ କେନ୍ଦ୍ର ସରକାର ଏକ ପ୍ରସ୍ତାବକୁ ଗ୍ରହଣ କରିଥିଲେ। କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କ ଦୁଇଦିନିଆ ରାଉରକେଲା ଗସ୍ତ ଶେଷ ହୋଇଛି। ତେବେ ରାଉରକେଲା ଛାଡ଼ିବା ପୂର୍ବରୁ ଆରଏସପି ସମ୍ପ୍ରସାରଣ ନେଇ ମନ୍ତ୍ରୀ କହିଲେ, ଆରଏସପି ସମ୍ପ୍ରସାରଣ ପାଇଁ ଆମେ ବଦ୍ଧପରିକର। ଏନେଇ ବିଗତ ଦିନରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୯. ୪ ମିଲିଆନ ଟନକୁ ବୃଦ୍ଧି କରାଯିବ। ୨୦୨୬ ସୁଦ୍ଧା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଏଁ ଉଚ୍ଛେଦ ହେବାକୁ ଥିବା ୩ ଶହ ପରିବାରକୁ ଥଇଥାନ କରାଯିବ। ୨/୩ ବର୍ଷ ଭିତରେ ସମସ୍ତ ସମ୍ପ୍ରସାରଣ ପ୍ରକଳ୍ପ ଶେଷ ହେବ। ପୂର୍ଣ୍ଣ କାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ନେଇ କହିଲେ, ଖୁବ ଶୀଘ୍ର ବିମାନବନ୍ଦର ଉନ୍ନତିକରଣ ସହ ସମସ୍ତ ପଦକ୍ଷେପ ନିଆଯିବ।
ସୂଚନା ଥାଉକି ଚଳିତ ବର୍ଷ ଜୁନ ମାସରେ ନୂଆଦିଲ୍ଲୀଠାରେ ଏ ନେଇ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା। ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କୁ ଓଡ଼ିଶାରୁ ନିର୍ବାଚିତ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‍ ଓରାମ ଭେଟିଥିଲେ। ଧରମେନ୍ଦ୍ର ପ୍ରଧାନ ଏହି ପ୍ଲାଣ୍ଟର ସମ୍ପ୍ରସାରଣ ଫଳରେ ମିଳିବାକୁ ଥିବା ଲାଭ ବିଷୟରେ କହିବା ସହ ଓଡ଼ିଶାର ଶିଳ୍ପ ବିକାଶ ଏବଂ ସାମାଜିକ ଓ ଅର୍ଥନୀତିକ ଉନ୍ନତି ପାଇଁ ଏହାର ଭୂମିକା ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଏହି ସମ୍ପ୍ରସାରଣ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ବିକାଶ ଦୃଷ୍ଟିକୋଣ ସହ ସଂଯୁକ୍ତ ବୋଲି ସେ କହିଥିଲେ। ଏହି ମିଶନ ପୂର୍ବାଞ୍ଚଳରେ ଆର୍ଥିକ ବିକାଶ ପାଇଁ ଲକ୍ଷ୍ୟ ରଖିଛି।