ଭୁବନେଶ୍ୱର:ପାଣ୍ଡିଆନଙ୍କୁ ପ୍ରତ୍ୟକ୍ଷ ସକ୍ରିୟ ଭୂମିକାରେ ଫେରାଇ ଆଣିବା ପାଇଁ ଦଳରେ ଚାଲିଥିବା କ୍ୟାମ୍ପେନ୍ ମଧ୍ୟରେ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି।ପାଣ୍ଡିଆନ ଫେରିବାକୁ ନେଇ ଚାଲିଥିବା କ୍ୟାମ୍ପେନ ଯୋଗୁ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଉଭୟ ଦଳ ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇସାରିଥିଲେ ମଧ୍ୟ ଦଳୀୟ ନେତାମାନଙ୍କ ଚେତା ପଶିନାହିଁ। ବିଜେଡିର ଗୋଟିଏ ଚାଟୁକାର ଗୋଷ୍ଠୀ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ଜୋରସୋରରେ ପ୍ରଚାର ଚଳାଇଥିବାବେଳେ ଶ୍ରୀମୟୀ ଆଜି ଖୋଲାଖୋଲି ଭାବେ ପାଣ୍ଡିଆନ ଓ ତାଙ୍କ ସମର୍ଥକମାନଙ୍କୁ ତୀବ୍ର ସମାଲୋଚନା କରି ଓଡ଼ିଶାର ସ୍ୱାଭିମାନ, ବିଜେଡିର ଆଂଚଳିକ ପରିଚୟ ଓ ଯୁବପିଢ଼ିଙ୍କ ରୋଜଗାରକୁ ନେଇ ସମ୍ବେଦନଶୀଳ ପ୍ରଶ୍ନ ଉଠାଇଛନ୍ତି।ଶ୍ରୀମୟୀ କହିଛନ୍ତି ଯେ, ବିଜେଡି ଭାରତର ବୋଧହୁଏ ଏକମାତ୍ର ଆଂଚଳିକ ଦଳ, ଯେଉଁଠି ଦଳର ସଭାପତିଙ୍କଠାରୁ ଆରମ୍ଭ କରି ଚାଟୁକାରଙ୍କ ପର୍ଯ୍ୟନ୍ତ ନିଜ ରାଜ୍ୟର ଲୋକଙ୍କୁ ପଛରେ ପକେଇ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇଥିବା ବ୍ୟକ୍ତିଙ୍କୁ ସର୍ବେସର୍ବା ଭାବେ ଟେକି ଧରିଛନ୍ତି। ଏଭଳି ନଜିର ଆଉ କୌଣସି ଆଂଚଳିକ ଦଳ କିମ୍ବା ରାଜ୍ୟରେ ଦେଖିବାକୁ ମିଳେ ନାହିଁ। ଦେଶର ଅନ୍ୟ ପ୍ରମୁଖ ଆଂଚଳିକ ଦଳ ଯଥା ତାମିଲନାଡୁର ଡିଏମକେ, ମହାରାଷ୍ଟ୍ରର ଶିବସେନା, ପଶ୍ଚିମବଙ୍ଗର ଟିଏମସି, ବିହାରର ଆରଜେଡି, ଆନ୍ଧ୍ରପ୍ରଦେଶର ଟିଡିପି ଓ ନୂତନ ଭାବେ ଗଠିତ ତାମିଲନାଡୁର ଟିଭିକେ ଭଳି ଦଳଗୁଡ଼ିକର ସେ ଉଦାହରଣ ଦେଇଛନ୍ତି। ଯେଉଁ ଦଳଗୁଡ଼ିକ କି ନିଜ ରାଜ୍ୟର ସ୍ୱାର୍ଥ, ଭାଷା ଓ ସ୍ଥାନୀୟ ଲୋକଙ୍କ ନେତୃତ୍ୱକୁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି।









