ବିଜେଡି ସରକାର ସମୟରେ 5T ସଚିବ ଥିବା ଭିକେ ପାଣ୍ଡିଆନଙ୍କ ବିରୋଧରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ମୋହନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଜରିଆରେ ଭିକେ ପାଣ୍ଡିଆନଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଚାହୁଁଥିବା ଜଣାପଡ଼ିଛି । ମୋହନ ସରକାର ୨୦୨୪ ଜୁନ ମାସରେ କ୍ଷମତାସୀନ ହେବାର ପ୍ରାୟ ୨ ବର୍ଷ ପରେ ପାଣ୍ଡିଆନଙ୍କ ବିରୋଧରେ ଏହା ପ୍ରଥମ ଆକ୍ସନ । ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଅଭିଯୋଗ ଆଧାରରେ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସରକାରୀ ପାଣ୍ଠିରେ ପାଣ୍ଡିଆନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା ତା’ର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି ।ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ଭିକେ ପାଣ୍ଡିଆନ । ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୈତିକ ସନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ । ବିଜେଡି ଭିତରେ ପାଣ୍ଡିଆନ ତୀବ୍ର ବିରୋଧର ସମ୍ମୁଖୀନ ହେଉଛନ୍ତି । ଆଉ ଏବେ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ୨୦୨୪ ଫେବୃୟାରୀ ୮ ତାରିଖରେ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି ହୋଇଛି ।









