ଝାରସୁଗୁଡା :ଆଜି ଭୋର ସମୟରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରଲର ଓ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।ସୂଚନା ଅନୁଯାୟୀ, ଭୋର ସକାଳେ ବିପରୀତ ଦିଗରୁ ଆସୁଥିବା ଏକ ବେପରୁଆ ଟ୍ରଲର ସହ ପୁଲିସ ବୋଲେରୋର ପ୍ରଚଣ୍ଡ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏପରି ଥିଲା ଯେ ବୋଲେରୋ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା। ସ୍ଥାନୀୟ ଲୋକ ଓ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ। ଆହତମାନଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ଖବର ପ୍ରସାରିତ ହେବା ପରେ ପୁଲିସ ବିଭାଗ ଓ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଉଚ୍ଚପଦସ୍ଥ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରଲର ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ ଗାଡ଼ିଟିକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।









