ନୂଆଦିଲ୍ଲୀ: ଜେଲରୁ ମୁକୁଳିବେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ବୁଧବାର ଜେଲରୁ ବାହାରିବା ନେଇ ଇମ୍ରାନଙ୍କ ଦଳ PTIର ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଅଗଷ୍ଟ ୨୦୨୩ ମସିହାରୁ ପାକିସ୍ତାନର ଆଦିଆଲା ଜେଲରେ ଅଛନ୍ତି ଇମ୍ରାନ। ଆସନ୍ତା ୧୧ ତାରିଖରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କ ଅଲ-କାଦିର-ଟ୍ରଷ୍ଟ ଦୁର୍ନୀତି ମାମଲାର ଶୁଣାଣି କରିବେ । ଏହି ମାମଲାରେ ଇମ୍ରାନଙ୍କୁ ଜାମିନ ମିଳିବାର ସମ୍ଭାବନା ଥିବା PTI ପକ୍ଷରୁ କୁହାଯାଇଛି । ୧୯୦ ମିଲିୟନ ପାଉଣ୍ଡ ଅଲ-କାଦିର-ଟ୍ରଷ୍ଟ ଦୁର୍ନୀତି ମାମଲାରେ ଇମ୍ରାନ ଓ ତାଙ୍କ ପତ୍ନୀ ବୁସରା ବିବିଙ୍କ ଦଣ୍ଡକୁ ରଦ୍ଦ କରିବାକୁ ଇସଲାମାବାଦ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି ।ସୂଚନାନୁଯାୟୀ, ଜୁନ୍ ୧୧ ତାରିଖ ଦିନ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଉଭୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । କାରଣ ସେହି ଦିନ ଇମ୍ରାନ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି । କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଏହା ସହିତ ଇସଲାମାବାଦ ହାଇକୋର୍ଟ ଅଲ୍-କାଦିର ଟ୍ରଷ୍ଟ ମାମଲାର ଆବେଦନ ଶୁଣାଣିକୁ ଜୁନ୍ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।
