May 31, 2026 12:22 am

ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଶ୍ରମିକମାନଙ୍କ ନିମନ୍ତେ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି । ଏପ୍ରିଲ ୧ରୁ ଜୁନ୍‌ ୧୫ ମଧ୍ୟରେ ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା । ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଏହି କଟକଣା ଲାଗୁ ରହିବ ।ଏପ୍ରିଲ ମାସ ୧ ତାରିଖରୁ ଜୁନ ମାସ ୧୫ ତାରିଖ ଯାଏଁ ପ୍ରତ୍ୟହ ପୂର୍ବାହ୍ନ ୧୧ ଘଣ୍ଟାରୁ ଅପରାହ୍ନ ୩ଟା ମଧ୍ୟରେ ଶ୍ରମିକଙ୍କୁ କାର୍ଯ୍ୟରେ ନଲଗାଇବାକୁ ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ କୁହାଯାଇଛି।ଯଦି କୌଣସି କାର୍ଯ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଯେଉଁଥିରେ କି ଶ୍ରମିକମାନଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇପାରିବ ନାହିଁ, ତେବେ ଉପରୋକ୍ତ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବେ। ଏଥିରେ ବିଶେଷ କରି ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଏବଂ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓ.ଆର.ଏସ. ପ୍ୟାକେଟର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ଅଟେ।