June 26, 2025 11:40 pm

ଓଏମସି ପକ୍ଷରୁ ସିକଲସେଲ୍ ନିରାକରଣ ସଚେତନତା ଅଭିଯାନ

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଓଏମସିର କାର୍ଯ୍ୟକ୍ଷମ ଖଣି ଅଞ୍ଚଳରେ ସିକଲସେଲ ସଚେତନତା ବ୍ୟାପକ କରିବା ଲକ୍ଷ୍ୟରେ ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ” ଶିବିରର ଆୟୋଜନ ହୋଇଯାଇଛି । ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ‘ଆରୋଗ୍ୟବାହିନୀ’ – କୋରାପୁଟ, କେନ୍ଦୁଝର, ଯାଜପୁର ଏବଂ ବଡ଼ବିଲ ଖଣି ଅଞ୍ଚଳ ସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡା ଠାରେ ଏହି ସଚେତନତା ଶିବିର ଆୟୋଜନ କରିଥିଲା । ଏହି ସିକଲସେଲ୍ ବା ରକ୍ତ ଶିକୁଳି ରୋଗ ନିରାକରଣ ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ରକ୍ତଶିକୁଳି ଓ ରକ୍ତହୀନତାର କାରଣ ଓ ନିରାକରଣ ତଥା ରୋଗ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ  ସର୍ବସାଧାରଣରେ ସଚେତନତା ସୃଷ୍ଟି କରିଥିଲା ।

ସୂଚନା ମୁତାବକ ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ” ବର୍ତ୍ତମାନ, ଖଣି ଅଞ୍ଚଳ ଆଖପାଖରେ ଥିବା ୮୫ଟି ଚିହ୍ନଟ ଗ୍ରାମରେ ୬ଟି Mobile Health Unit ସକ୍ରିୟ ଭାବରେ କାର୍ଯ୍ୟ କରୁଅଛି । ଆରୋଗ୍ୟବାହିନୀ ଚିକିତ୍ସା ସେବା ପ୍ରଦାନ ବ୍ୟତୀତ, ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଗମ ଏବଂ ସୁବିଧାଜନକ କରିଛି । ଏହି ପ୍ରୟାସ ମାଧ୍ୟମରେ ଦୁର୍ଗମ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ସିଧାସଳଖ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହାସହ ଗ୍ରାମବାସୀଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ପ୍ରାଥମିକ ସ୍ୱାସ୍ଥ୍ୟସେବା, ମାଗଣା ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ପ୍ରତିରୋଧକ ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷ ସହାୟତା ପ୍ରଦାନ କରାଯାଉଅଛି । ଏହାଦ୍ୱାରା ୧.୫୦ ଲକ୍ଷରୁ ଅଧିକ ଲୋକ ସକାରାତ୍ମକ ଭାବରେ ଉପକୃତ ହେଉଛନ୍ତି ।