February 26, 2026 5:53 am

ଉନ୍ନାଓ ଦୁଷ୍କର୍ମ ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଜାମିନ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ଜାମିନ୍ ଆବେଦନ ଉପରେ ରୋକ ଲାଗିଛି । ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାର ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତ ରଖିଛନ୍ତି ।i ଗତ ଡିସେମ୍ବର ୨୩ ତାରିଖରେ ଦିଲ୍ଲୀ ହାଇକୋର୍ଟ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ସହ ଆବେଦନ ବିଚାରାଧୀନ ଥିବା ସମୟ ପାଇଁ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପୀଡିତାଙ୍କ ପରିବାର ଏବଂ ମହିଳା ଅଧିକାର କର୍ମୀମାନେ ତୀବ୍ର ବିରୋଧ କରିଥିଲେ। ଏଭଳି ନିଷ୍ପତ୍ତି ଜନସାଧାରଣଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି ଏବଂ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଏହା ଏକ ଭୁଲ ବାର୍ତ୍ତା ଦେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ।ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାରେ ୨୦୧୯ ଡିସେମ୍ବର ମାସରେ ଟ୍ରାଏଲ କୋର୍ଟ ସେଙ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ।