April 12, 2026 5:10 pm

ଆଇପିଏସ୍‌ ସଂଜୟ ସିଂହଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ମଞ୍ଜୁର 

ଭୁବନେଶ୍ଵର: ୧୯୯୬ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିବା ବେଳେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ସଞ୍ଜୟ ସିଂହ ଓଡ଼ିଶା ପୁଲିସ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଥିଲେ। ଏଥି ସହିତ ସେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇଣ୍ଟଲିଜିଏନ୍ସ (ସିବିଆଇ)ରେ ମଧ୍ୟ କାମ କରିବାର ସୁଯୋଗ ପାଇଥିଲେ। ସେ ସିବିଆଇରେ ଡିଆଇଜି ରାଙ୍କରେ ଥିଲେ ଓ ଅନେକ ହାଇପ୍ରୋଫାଇଲ କେସ୍‌ର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଓ ତାଙ୍କୁ ନାରକୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋରେ ଡେପୁଟି ଡାଇରେକ୍ଟର ଜେନେରାଲ ବା ଡିଡିଜି ପଦରେ ନିଯୁକ୍ତି ଦିଆଯାଇଥିଲା।