February 26, 2026 3:43 am

ଓଡ଼ିଆରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ରହିଛି। ପ୍ରତ୍ୟେକ ଜିଲ୍ଲା ସଦର ମହକୁମା ବହି ଦୋକାନରେ ଏହି ବହି ଗୁଡ଼ିକ ଉପଲବ୍ଧ ହେବ। ସୂଚନାଥାଉ ଯେ, ଓଡ଼ିଆ ଭାଷାରେ ଏହିଭଳି ବହି ଆଗରୁ ନଥିବାରୁ ରାଜ୍ୟ ସରକାର ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୧୦ ରୁ ୨୦ ଟି ବହି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚ ଶିକ୍ଷା ବିଦ୍ୟାଳୟର ଗ୍ରନ୍ଥାଳୟରେ ଏହି ବହି ଉପଲବ୍ଧ ହେବ ଓ ପିଲାମାନେ ଏହାକୁ ପଢ଼ି ପାରିବେ । ଏହି ପୁସ୍ତକ ଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ବିଭିନ୍ନ ଦୋକାନରେ ଉପଲବ୍ଧ ହେବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଚେଷ୍ଟା କରିବ। ଏହି ପୁସ୍ତକ ସମୁଦାୟ ୭୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧,୨୦, ୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ଵାଦଶ ଶ୍ରେଣୀ ପାଇଁ ମଧ୍ୟ ଓଡ଼ିଆ ଭାଷାରେ ବିଜ୍ଞାନ ପୁସ୍ତକ ପ୍ରସ୍ତୁତ କରିବାର ଯୋଜନା ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏନ୍ ଥିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।