May 31, 2026 12:17 am

ବିଜେଡ଼ିରୁ ବିଜେପିକୁ ଡେଇଁଲେ ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେସିକା 

ଭୁ‌ବନେଶ୍ଵର: ଆଗାମୀ ନିର୍ବାଚନକୁ  ଆଖି ଆଗରେ ରଖି  ନେତାମାନଙ୍କ ଦଳ ଡିଆଁ  ପର୍ବର ଅନ୍ତ ଘଟୁନାହିଁ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା  ତଥା ବିଜେଡ଼ି ନେତା ଅପରାହ୍‌ଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ଶ୍ରୀତମ ଦାଶ, ସମୀର ମହାନ୍ତି ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପସ୍ଥିତିରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। 

ବିଜେଡି ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ମୀପୁର ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଲକ୍ଷ୍ମୀପୁରରେ ବିଜେଡି ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏହା ପରେ କୈଳାଶ.କୁଲେସିକା ଦଳରୁ ଇସ୍ତଫା ଦେଇଥିଲେ। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ଦଳ ତାଙ୍କ କଠିନ ପରିଶ୍ରମର ମୂଲ୍ୟ ବୁଝି ପାରିଲା ନାହିଁ। କେବଳ ସେତିକି ନୁହେଁ। ରାତାରାତି ବିଜେପିରେ ସହିତ ସଂପର୍କ କରିଥିଲେ। ଆଜି ନିଜ ସମର୍ଥକଙ୍କୁ ନେଇ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

କୈଳାଶ କହିଛନ୍ତି, ୨୦୨୨ରେ ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲି। ସେତେବେଳେ ଅନେକ ପ୍ରତିଶ୍ରୁତି ସହ ବିଧାୟକ ଟିକେଟ ମଧ୍ୟ ଦିଆଯିବ ବୋଲି ବିଜେଡି କହିଥିଲା। ବର୍ତ୍ତମାନ ଟିକେଟରୁ ବଂଚିତ କରାଗଲା। ଲକ୍ଷ୍ମୀପୁରର ବିଜେଡ଼ି ଟିକେଟ ସମେତ କୋରାପୁଟ ଓ ପଟାଙ୍ଗୀ ଟିକେଟକୁ ନେଇ କୋଟିକୋଟି ଟଙ୍କା ଡିଲ ହୋଇଛି। ଟିକେଟ ପ୍ରଦାନ ନକରି ଏକ କୋଟି ଟଙ୍କା ସହ ଦୁଇ ମାସ ପରେ ସ୍ୱତନ୍ତ୍ର ଉନୟନ ପରିଷଦ ସଭାପତି ପଦବି ଦେବା ପାଇଁ ମଧ୍ୟ ବିଜେଡି ତରଫରୁ କୁହାଯାଇଥିଲା।ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ଲକ୍ଷ୍ମୀପୁର ବିଧାନସଭା ଆସନରୁ କୈଳାଶ ଲଢ଼ିଥିଲେ। ସେ ୫୩,୪୨୯ ଖଣ୍ଡ ଭୋଟ୍‌ ପାଇବା ସହ ହେମା ଗମାଙ୍ଗୋଙ୍କୁ ୨୨,୪୭୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ୨୦୧୯ ରେ ପୁଣି କଂଗ୍ରେସ ତରଫରୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ପ୍ରାଥୀ ହୋଇଥିଲେ। କିନ୍ତୁ ବିଜେଡ଼ିର ପ୍ରଭୁ ଜାନିଙ୍କ ଠାରୁ ୨୨୯ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ।