December 6, 2025 2:28 pm

କୋଲଡ୍ରିଫ୍” କଫ୍ ସିରପ୍ କମ୍ପାନୀର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ : ”କୋଲଡ୍ରିଫ୍” କଫ୍ ସିରପ୍ ଯୋଗୁଁ ଅତି କମରେ ୨୨ ଜଣ ଶିଶୁଙ୍କ ମୃତ୍ୟୁ ପରେ ଶ୍ରୀସାନ୍ ଫାର୍ମାସିଟିକାଲ୍ସ କମ୍ପାନୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶ୍ରୀସାନ୍ ଫାର୍ମାସିଟିକାଲ୍ସ କମ୍ପାନୀର ଲାଇସେନ୍ସ ରଦ୍ଦ କରିଛନ୍ତି ତାମିଲନାଡ଼ୁ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ ଗୁରୁବାର ଘୋଷଣା କରିଛନ୍ତି । ଏହା ପୂର୍ବରୁ କମ୍ପାନୀର ମାଲିକ ଜି. ରଙ୍ଗନାଥନଙ୍କୁ ଗିରଫ କରାଯାଇଛି । ତାମିଲନାଡୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି ଯେ କୋଲଡ୍ରିଫ୍ କଫ୍ ସିରପ୍ ପ୍ରସ୍ତୁତ କରୁଥିବା କମ୍ପାନୀ ଶ୍ରୀସାନ୍ ଫାର୍ମାସିଟିକାଲର ଲାଇସେନ୍ସ ସ୍ଥାୟୀ ଭାବରେ ବାତିଲ କରାଯିବ । ତଦନ୍ତ ଚାଲିଥିବାରୁ ଶ୍ରୀସାନ୍ କମ୍ପାନୀର ଲାଇସେନ୍ସ ବର୍ତ୍ତମାନ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି । ପୋଲିସ ଟିମ୍ କାଞ୍ଚିପୁରମର ସୁଙ୍ଗୁଭାରଚତ୍ରମ୍‌ରେ ଥିବା କମ୍ପାନୀର ଉତ୍ପାଦନ ପ୍ଲାଣ୍ଟ ମଧ୍ୟ ଯାଞ୍ଚ କରିବ । ବର୍ତ୍ତମାନ, ତାମିଲନାଡୁ, କେରଳ, ମଧ୍ୟ ପ୍ରଦେଶ, ପଞ୍ଜାବ ଏବଂ ଅରୁଣାଚଳ ପ୍ରଦେଶ ସମେତ ଅନେକ ରାଜ୍ୟ କୋଲଡ୍ରିଫ୍ କଫ୍ ସିରପ୍ ବିକ୍ରୟ ଉପରେ ନିଷେଧ କରିଛନ୍ତି । ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ଅନ୍ୟାନ୍ୟ ରାଜ୍ୟ ମଧ୍ୟ ସତର୍କତା ଜାରି କରିଛନ୍ତି ।