June 27, 2025 5:04 am

ଗଛ କଟାକୁ ତୀବ୍ର ବିରୋଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା

ଗଛ କଟାକୁ ତୀବ୍ର ବିରୋଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା
  • (ଶାନ୍ତନୁ କୁମାର ରଣା )

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିକାଶ ଆଳରେ ଗଛକଟା ବିଭିନ୍ନ ସ୍ଥାନରେ ଜାରି ରହିଥିବାବେଳେ ଗତ ୧୩ ତାରିଖରେ  ବ୍ରହ୍ମପୁର ରେଳ ଷ୍ଟେସନ ନିକଟବର୍ତ୍ତୀ ଅଟୋ ଷ୍ଟାଣ୍ଡଠାରେ ତିନୋଟି ବିରାଟ ଗଛକୁ କାଟିବା ପାଇଁ ପ୍ରସ୍ତୁତି ଚାଲୁଥିଲା। ଷ୍ଟେସନ ଅଟୋ ଚାଳକ ଓ ସମାଜ ସେବୀ ବିନୋଦ ସାବତ ଗଛକଟାକୁ ବିରୋଧ କରିବା ସହ ବ୍ରହ୍ମପୁର ସବୁଜ ବାହିନୀକୁ ଏନେଇ ସୂଚନା ଦେଇଥିଲେ।

 ବ୍ରହ୍ମପୁର ସବୁଜ ବାହିନୀର ସଦସ୍ୟ ପହଞ୍ଚି ଗଛକଟାକୁ ବିରୋଧ କରିବା ସହ ସଙ୍ଗଠନର ସଭାପତି ଶିବରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ତାଙ୍କ ସହଯୋଗୀ ସଦସ୍ୟ, ଵିନୋଦ ସାବତ ଏବଂ ଅଟୋ ଚାଳକ ମାନେ ସେହି ସ୍ଥାନରେ ହିଁ ଧାରଣାରେ ବସିଥିଲେ। ଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ଗାଡି ପାର୍କିଙ୍ଗ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଗଛ ନକାଟିବା ପାଇଁ ବାରମ୍ବାର ସଙ୍ଗଠନ ପ୍ରତିବାଦ କରିଆସୁଛି। କିନ୍ତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସଂସ୍ଥା ବେଆଇନ ଭାବେ ଗଛ କାଟିବା ବେଳେ ସଙ୍ଗଠନର ସଦସ୍ୟ ପ୍ରତିବାଦ କରିବାରୁ ସଂସ୍ଥାର କର୍ମଚାରୀ ସେଠାରୁ ଚାଲିଯାଇଥିଲେ।

 ସୂଚନା ପାଇ ବନ ବିଭାଗର କର୍ମଚାରୀ ଧାରଣା ସ୍ଥଳୀକୁ ପହଞ୍ଚି ଗଛକଟା ମେସିନ ଉପକରଣ ଜବତ କରି ନିୟୋଜିତ ଥିବା ଶ୍ରମିକଙ୍କୁ  ତାଗିତ କରିଥିଲେ। ଧାରଣା ସ୍ଥଳରେ ଉପସ୍ଥିତ ବ୍ରହ୍ମପୁର ସବୁଜ ବାହିନୀ କର୍ମକର୍ତ୍ତା ଗଛକଟାକୁ ତୀବ୍ର ବିରୋଧ କରିବା ସହ ଆଗାମୀ  ଭବିଷ୍ୟତରେ ଏଭଳି ଜାରି ରହିଲେ ଅନଶନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଧାରଣା ସ୍ଥଳରେ ସଙ୍ଗଠନର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, କୋଷାଧ୍ୟକ୍ଷ ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, ସୁଜିତ ଗୌଡ଼, ରବି ସାହାଣୀ ଏବଂ ସ୍ଥାନୀୟ ଷ୍ଟେସନ ଅଟୋଚାଳକ ସଂଘର ଚାଳକ ପ୍ରଭୃତି ବ୍ୟକ୍ତିବିଶେଷ ଉପସ୍ଥିତ ରହି ଗଛକଟାକୁ ପ୍ରତିବାଦ କରିଥିଲେ।