ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲ୍ ଯାଇଛନ୍ତି। ଜେଲ ଯିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଫସିଥିବା କେଜ୍ରିୱାଲ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଇଡି ଅଭିଯୋଗ କରିବା ସହିତ ତାଙ୍କୁ ଆଉ ଇଡି ହାଜତରେ ରଖାଯିବ ନାହିଁ ବୋଲି କହିଥିଲା। ଏହାପରେ କୋର୍ଟ କେଜ୍ରିୱାଲଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି।
ତିହାର ଜେଲ୍ରେ ଏବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ସାଂସଦ ସଂଜୟ ସିଂହ ମଧ୍ୟ ଅଛନ୍ତି। ଗତମାସ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଥିଲା। ଏହାପରେ ରିମାଣ୍ଡରେ ନେଇଥିଲା। ଆଜି ରିମାଣ୍ଡ ଶେଷ ହେବାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗିରଫ ହେବା ପରେ ମଧ୍ୟ କେଜ୍ରିୱାଲ ୧୧ ଦିନ ଧରି ଇଡି ହାଜତରେ ରହି ସରକାର ଚଳାଇ ଆସୁଛନ୍ତି।
ଅଦାଲତରେ କେଜ୍ରିୱାଲଙ୍କୁ ଅସୁସ୍ଥତା କାରଣରୁ ଜେଲରେ କିଛି ଔଷଧ ଓ ସ୍ବତନ୍ତ୍ର ଖାଦ୍ୟ ପ୍ରଦାନ କରିବାକୁ ତାଙ୍କ ଆଇନଜୀବୀ ଦାବି କରିଥିଲେ। ଏଥିସହିତ ତାଙ୍କୁ ଭଗବଦ ଗୀତା, ରାମାୟଣ ଏବଂ ନୀରଜ ଚୌଧୁରୀଙ୍କ ଦ୍ବାରା ଲିଖିତ ପୁସ୍ତକ ହାଓ ପ୍ରାଇମ ମିନିଷ୍ଟର୍ସ ଡିସାଇଡ ପୁସ୍ତକ ଯୋଗାଇ ଦେବାକୁ କହିଥିଲେ। ଜେଲ୍ ଯିବା ପୂର୍ବରୁ ଅଦାଲତ ତାଙ୍କୁ ପତ୍ନୀ ସୁନିତା କେଜ୍ରିୱାଲ, ମନ୍ତ୍ରୀ ଆତିଶୀ ଏବଂ ସୌରଭ ଭରଦ୍ବାଜଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ।
ସକାଳେ ଅଦାଲତରେ କେଜ୍ରିୱାଲଙ୍କୁ ଇଡି ହାଜର କରିବା ସମୟରେ ଅଭିଯୋଗ କରିଥିଲା ଯେ ସେ ତଦନ୍ତରେ ସହଯୋଗ କରୁନାହାନ୍ତି। ପ୍ରଶ୍ନ ଏଡାଇବାକୁ ପ୍ରୟାସ କରୁଛନ୍ତି। ତାଙ୍କ ଡିଜିଟାଲ ଡିଭାଇସର ପାସୱାର୍ଡ ସେ ପ୍ରକାଶ କରୁନାହାନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ଏହା ମଧ୍ୟ ଦର୍ଶାଇଥିଲା ଯେ ଭବିଷ୍ୟତରେ ତାଙ୍କୁ ପୁଣି ରିମାଣ୍ଡରେ ନେବାକୁ ପଡ଼ିପାରେ। ଇଡି କହିଥିଲା ଯେ କେଜ୍ରିୱାଲ ଆପ୍ର ଅନ୍ୟ ସଦସ୍ୟଙ୍କ ବିରୋଧରେ ମିଥ୍ୟା ପ୍ରମାଣ ଦେଇଛନ୍ତି।
ଦଳୀୟ ନେତାଙ୍କ ସହିତ ତାଙ୍କୁ ଯେତେବେଳେ ସାମ୍ନାସାମ୍ନି କରାଗଲା ସେମାନେ ଦ୍ବନ୍ଦ୍ବରେ ଅଛନ୍ତି ବୋଲି କେଜ୍ରିୱାଲ କହିଥିଲେ। ସେ କହିଥିଲେ ଯେ ଆପ୍ର ଯୋଗାଯୋଗ ବିଭାଗ ମୁଖ୍ୟ ରହିଥିବା ବିଜୟ ନାୟାର (ଯିଏ ପରେ ରାଜସାକ୍ଷୀ ହୋଇଛନ୍ତି) ମନ୍ତ୍ରୀ ଆତିଶୀ ଏବଂ ସୌରଭ ଭରଦ୍ବାଜଙ୍କୁ ରିପୋର୍ଟ କରନ୍ତି।
ଅନ୍ୟପକ୍ଷରେ ଗିରଫ ବିରୋଧରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ହାଇକୋର୍ଟ ଇଡି ଠାରୁ ଏପ୍ରିଲ ୨ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୩ ତାରିଖରେ ଏହି ମାମଲାର ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫକୁ କେଜ୍ରିୱାଲ ଏକ ରାଜନୈତିକ ଷଡ଼୍ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ଗତଥର ଅଦାଲତରେ ଶୁଣାଣି ସମୟରେ କେଜ୍ରିୱାଲ କହିଥିଲେ ଯେ ସିବିଆଇ ୩୧ ହଜାର ପୃଷ୍ଠାର ଏବଂ ଇଡି ୨୫ ହଜାର ପୃଷ୍ଠାର ଅଭିଯୋଗଫର୍ଦ୍ଦ ଦାଖଲ କରିସାରିଛନ୍ତି। ଦୁଇଟି ଯାକ ଅଭିଯୋଗଫର୍ଦ୍ଦକୁ ମିଶାଇ ପଢ଼ିବା ପରେ ମଧ୍ୟ ମୋତେ କାହିଁକି ଗିରଫ କରାଯାଇଛି ତାହାର ଉତ୍ତର ମିଳିବ ନାହିଁ ବୋଲି ସେ କହିଥିଲେ।