June 27, 2025 3:59 am

ସୁପ୍ରିମ୍‌କୋର୍ଟ ଆଦାନି-ହିଣ୍ଡେନ୍‌ବର୍ଗମାମଲାରେ ‘ସେବି’ ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି।ଶୁଣାଇ ଥିବା ରାୟରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ତଦନ୍ତକୁ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ରୁ (ସେବି) ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ସିଟ୍‌) କିଂବା ‘ସିବିଆଇ’କୁ ନେବାର କୌଣସି କାରଣ ନାହିଁ।

ଏହାଛଡ଼ା, ୨୨ଟି ମାମଲାରୁ ‘ସେବି’ ୨୦ଟିର ମାମଲାର ତଦନ୍ତ ଶେଷ କରିସାରିଲାଣି। ସଲିସିଟର୍‌ ଜେନେରାଲ୍‌ଙ୍କ ପ୍ରତିଶ୍ରୁତିକୁ ବିଚାର କରି ବାକି ୨ଟି ମାମଲାର ତଦନ୍ତ ୩ ମାସ ମଧ୍ୟରେ ‌ଶେଷ କରିବା ଲାଗି ସୁପ୍ରିମ୍‌ କୋର୍ଟ ‘ସେବି’କୁ ନିର୍ଦେଶ ଦେଇଛନ୍ତି।ଭାରତର ପ୍ରଖ୍ୟାତ କର୍ପୋରେଟ୍‌ ଆଦାନି ଗ୍ରୁପ୍‌ ‘ଷ୍ଟକ୍‌ ପ୍ରାଇସ୍‌’ ଜାଲିଆତି କରିଥିବା ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିବା ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ଆଗତ କେତେକ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।

ଏହି ମାମଲାରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜେ. ବି. ପାର୍ଦିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରାୟ ୪ଟି ପିଟିସନ୍‌ର ଶୁଣାଣି କରିଛନ୍ତି।ଓକିଲ ବିଶାଳ ତିୱାରି, ଏମ୍‌. ଏଲ୍‌. ଶର୍ମା ଓ କଂଗ୍ରେସ ନେତା ଜୟା ଠାକୁର ଏବଂ ଅନାମିକା ଜୟସୱାଲ୍‌ ଫାଇଲ୍‌ କରିଥିବା ଉକ୍ତ ପିଟିସନ୍‌ଗୁଡ଼ିକର ବିଚାର କରି ଗତବର୍ଷ ନଭେମ୍ବର ମାସରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।

ପିଟିସନ୍‌ରେ ଅଭିଯୋଗ କରାଯାଇଥିଲା ଯେ, ମୋଦୀ ସରକାରଙ୍କ ଘନିଷ୍ଠ ବୋଲି ମନେ କରାଯାଉଥିବା ‘ଆଦାନି ଗ୍ରୁପ୍‌’ ତା’ର ସେୟାର୍‌ ଦର ଅସ୍ବାଭାବିକ ଭାବେ ବୃଦ୍ଧି କରିଥିଲା। ତେଣୁ, ସର୍ଟ ସେଲର୍‌ ‘ହିଣ୍ଡେନ୍‌ବର୍ଗ ରିସର୍ଚ’ର ରିପୋର୍ଟ ପରେ ଏହି ଗ୍ରୁପ୍‌ର ବିଭିନ୍ନ କମ୍ପାନିଗୁଡ଼ିକର ସେୟାର୍‌ ଦର ହଠାତ୍‌ ହ୍ରାସ ପାଇଥିଲା।

ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଦାନି ଗ୍ରୁପ୍‌ର ମୁଖ୍ୟ ଗ‌ୌତମ ଆଦାନି କହିଛନ୍ତି, ସତ୍ୟର ବିଜୟ ହୋଇଛି।