May 30, 2026 12:44 am

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ

କଳାହାଣ୍ଡି : ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେଣ୍ଟ୍ରିଙ୍ଗ କାଢ଼ିବା ବେଳେ ସମସ୍ତେ ଚାପି ହୋଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ, ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ପାଇଖାନା ଟାଙ୍କିରେ ସେଣ୍ଟ୍ରିଂ ଖୋଲୁଥିବା ବେଳେ ବଡ଼ ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ୩ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ ଏବଂ ତାଙ୍କ ପୁଅ ଅଛନ୍ତି। ପ୍ରଥମେ ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ପାଇଖାନାର ନିର୍ମାଣକାରୀ ଗୌଡ଼ କର୍ଲାଖୁଣ୍ଟା ଗାଁର ନିମାଇଁ ପାଲ(୪୮) ତାଙ୍କ ପୁଅ ଆକାଶ ପାଲ (୨୮), ସହଯୋଗୀ ଶ୍ରମିକ ଅଦଲ ମାଝୀ (୫୫), ମାଟୋଗଣ୍ଡା ଗାଁର ମନୋରଞ୍ଜନ ହାତୀ (୨୭), ଦୁଟାଗାଁର ଛନ୍ଦା ଜାଲ ଓ ବିପୁଲ ଜାଲ। ସେହିପରି ଗୁରୁତର ଜଣକ ହେଲେ ହାତୀଖୋଜ ଗାଁର ପଙ୍କଜ ଯାନୀ (୩୨)। ତାଙ୍କୁ ଏମ ରାମପୁର ମେଡିକାଲରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।