May 15, 2026 3:02 am

ରଥଯାତ୍ରା ଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ପୁରୀ ଟାଉନ ହଲ୍‌ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରଥ ନିର୍ମାଣ, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଉପରେ ବ୍ୟାପକ ଆଲୋଚନା କରାଯାଇଛି। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆବଶ୍ୟକ ୮୧୮ ଖଣ୍ଡ କାଠ ମଧ୍ୟରୁ ୭୧୦ ଖଣ୍ଡ କାଠ ପୁରୀରେ ପହଞ୍ଚି ସାରିଛି। ଚାରମାଳ ପାଇଁ ଢେଙ୍କାନାଳ ହିନ୍ଦୋଳରୁ ଅଧିକ ଏକ ସେଟ୍ ତାଳ କାଠ ଅଣାଯିବାର ବ୍ୟବସ୍ଥା ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ମହାନଗର ନିଗମ ଅଞ୍ଚଳରେ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ। ଅସ୍ୱାଭାବିକ କିମ୍ବା ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଏହି ବୀମା ସହାୟତା ମିଳିବ।ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ୧୬ଶହ ଅସ୍ଥାୟୀ ଶୌଚାଳୟ ହେବ । ଡ୍ରୋନ ଦ୍ବାରା ସହରର ବିଭିନ୍ନ ସ୍ଥାନରେ ମଶା ତେଲ ପକାଯିବ । ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୪ଶହ ସ୍ଵତନ୍ତ୍ର ଟ୍ରେନ୍ । ରେଳଷ୍ଟେସନ ବାହାରେ ୬ ଟି ସ୍ଥାନରେ କାଉଣ୍ଟର ସହ ସ୍ଵତନ୍ତ୍ର କ୍ରାଉଡ ମ୍ୟାନେଜମେଣ୍ଟ ପ୍ଲାନ୍ ହେବ । ରଥଯାତ୍ରା ସମୟରେ NSG କମାଣ୍ଡୋଙ୍କ ସହ ୨୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏଥିସହିତ ଆଣ୍ଟି ଡ୍ରୋନ୍ ଟିମ୍, NDRF, ODRAF ମୁତୟନ ହେବେ। ଯାନ ବାହନ ପାଇଁ ପାର୍କିଂ ସଂଖ୍ୟା ବୃଦ୍ଧି କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।