ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଙ୍ଗଳବାର ଭୁବନେଶ୍ୱରର ପ୍ରସ୍ତାବିତ ‘ନିୟୁ ସିଟି’ ପାଇଁ ଏକ ବ୍ୟାପକ ମାଷ୍ଟରପ୍ଲାନ୍ ପ୍ରସ୍ତୁତି ପାଇଁ ସୁର୍ବାନା ଜୁରୋଙ୍ଗ ସଂସ୍ଥା ସହ ଏକ ଚୁକ୍ତି ସ୍ବାକ୍ଷରିତ କରିଛି । ବିଡିଏ ସଚିବ ମାନସ ରଞ୍ଜନ ପାଢୀ ଓ ସୁର୍ବାନା ଜୁରୋଙ୍ଗର ଡେପୁଟି ଡାଇରେକ୍ଟର ମନଦୀପ ଦତ୍ତଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ମେଗା ପ୍ରକଳ୍ପ ଗୋଠପାଟଣା, ମଳିପଡା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ ନିର୍ମାଣ ହେବ ଏବଂ ରାଜ୍ୟର ଦୀର୍ଘମିୟାଦୀ ଉନ୍ନୟନ ରୋଡ଼ମ୍ୟାପ୍ ‘ବିକଶିତ ଓଡ଼ିଶା ୨୦୩୬’ ସହ ସମନ୍ୱୟ ରଖି ଏକ ବହୁ-ଅର୍ଥନୈତିକ ବୃଦ୍ଧି କ୍ଷେତ୍ର ଭାବେ ଗଢ଼ାଯିବ ।ପ୍ରସ୍ତାବିତ ନୂଆ ସହରକୁ ଏକ ଟ୍ରାନ୍ସିଟ୍-ଓରିଏଣ୍ଟେଡ୍ ସହରୀ ହବ୍ ଭାବେ ଗଢ଼ାଯିବ ଏବଂ ଏଥିରେ ଦକ୍ଷ ପରିବହନ ବ୍ୟବସ୍ଥା, କମ୍ ଯାତାୟାତ ସମୟ ଓ ମିଶ୍ରିତ ଜମି ବ୍ୟବହାରର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯିବ । ‘ସମସ୍ତଙ୍କ ପାଇଁ ଗୃହ’ ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ଆୟ ସ୍ତରର ଲୋକଙ୍କ ପାଇଁ ସୁଲଭ ଓ ବିବିଧ ଗୃହ ବ୍ୟବସ୍ଥା ଏକ ପ୍ରମୁଖ ଦିଗ ହେବ ।ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି ଯେ, ଏହି ସହର ଆଧୁନିକ ସୁବିଧା ସହିତ ତିଆରି ହେବ । ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଓ ପ୍ରଦର୍ଶନୀ ପାଇଁ ସୁବିଧା, ପ୍ଲଗ୍-ଆଣ୍ଡ୍-ପ୍ଲେ ଇନୋଭେସନ୍ ହବ୍, ଆଇଡିଆ ଆଧାରିତ କାର୍ଯ୍ୟକ୍ଷେତ୍ର ଓ ଡାଟା ପରିଚାଳନା କେନ୍ଦ୍ର ଅନ୍ତର୍ଭୁକ୍ତ ହେବ । ସେ ଆହୁରି କହିଛନ୍ତି ଯେ, ଲୋକଙ୍କ ସାମାଜିକ ଆବଶ୍ୟକତା ପୂରଣ ଓ ସମୁଦାୟରେ ମିଳାମିଶା ବୃଦ୍ଧି ପାଇଁ ସେଣ୍ଟ୍ରାଲ ଫରେଷ୍ଟ ପାର୍କ, ଗେଟୱେ ପ୍ଲାଜା, କ୍ରିଏଟିଭ୍ ପ୍ଲେସମେକିଙ୍ଗ୍ ଓ ଅନେକ ଖୋଲା ସାର୍ବଜନୀନ ସ୍ଥାନ ତିଆରି ଉପରେ ବିଶେଷ ଗୁରୁତ୍ବ ଦିଆଯିବ ।ଏହି ପ୍ରକଳ୍ପ ଜଳବାୟୁ ସହନଶୀଳତା, ପରିବେଶ ସୁରକ୍ଷା ଓ ନାଗରିକଙ୍କ ସମଗ୍ର କଲ୍ୟାଣ ପାଇଁ ସ୍ମାର୍ଟ, ସବୁଜ ଭିତ୍ତିଭୂମି ଓ ସାମଗ୍ରିକ ଜୀବନମାନର ଗୁଣବତ୍ତା ବୃଦ୍ଧି ପାଇଁ କାର୍ଯ୍ୟ କରିବ। ବିଡିଏକୁ ଏହି ପ୍ରକଳ୍ପର ନୋଡାଲ୍ ଏଜେନ୍ସି ଭାବେ ନିଯୁକ୍ତ କରାଯାଇଛି ।









