April 12, 2026 3:27 am

ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ବିସ୍ତୃତ ଆଲୋଚନା କରିଛନ୍ତି । ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡିକର ଅଗ୍ନି ନିରାପତ୍ତା ଭିତ୍ତିଭୂମି ନିମନ୍ତେ ନିରୀକ୍ଷଣ, ଆବଶ୍ୟକ ଏଷ୍ଟିମେଟ ଏବଂ ସମୟସୀମା ମଧ୍ୟରେ ଶେଷ କରିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ହସ୍ପିଟାଲରେ ଅଗ୍ନି ନିରୋଧ ଓ ନିର୍ବାପନ ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯାଉଛି । ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗଠନ, ମକ୍ ଡ୍ରିଲ, ନିୟମିତ ଯାଞ୍ଚ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଚାଲୁ ରହିଥିବା ପ୍ରକଳ୍ପ ଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମାନଙ୍କରେ ଏସବୁକୁ ଗୁରୁତ୍ଵର ସହ ପାଳନ ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସମୀକ୍ଷା ବେଳେ ମନ୍ତ୍ରୀ ମହୋଦୟ ରୋଗୀଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଭାବେ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ । ସମସ୍ତ ଅଗ୍ନି ନିରାପତ୍ତା ଉପକରଣ ବ୍ୟବହାର ଯୋଗ୍ୟ ରହିବା ଆବଶ୍ୟକ, ନିୟମିତ ଭାବେ ଫାୟାର ସେଫ୍ଟି ଅଡିଟ ଓ ମକ୍ ଡ୍ରିଲ୍ ଆୟୋଜନ କରାଯିବ । ଏହାସହ ଫାୟାର ସର୍ଭିସ ଓ ପୂର୍ତ୍ତ ବିଭାଗ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।