March 23, 2026 6:56 am

ଇଣ୍ଟରନେଟ କେବୁଲ କାଟିବାକୁ ଇରାନ୍‌ର ଧମକ

ନୂଆଦିଲ୍ଲୀ : ଇରାନ ତାର ଜଳପଥ ହର୍ମୁଜ ମାର୍ଗ କୁ ସମ୍ପୂର୍ଣ୍ଣ ଅବରୋଧ କରିଥିବାରୁ ତୈଳ କାରବାର ସମ୍ପୂର୍ଣ ଭାବରେ ବାଧାପ୍ରାପ୍ତ ହୋଇଛି । ଇରାନ ଏବେ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଧମକ ଦେଇଛି । ଯଦି ଇରାନ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରେ, ତେବେ ବିଶ୍ବରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି। ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ହଜାର ହଜାର କିମି ଦୈର୍ଘ୍ୟ ବିଶିଷ୍ଟ ଏହି କେବୁଲଗୁଡିକୁ ଇରାନ ଯଦି କାଟିଦିଏ, ତେବେ ଆନ୍ତର୍ଜାତିକସ୍ତରରେ ଭିଡିଓ କଲ, ଇ-ମେଲ, ନେଟ୍‌ ବ୍ୟାଙ୍କିଙ୍ଗ୍‌. ଏଆଇ ସର୍ଭିସରେ ବିଭ୍ରାଟ ଦେଖାଦେବ। ଲୋହିତ ସାଗର ଏବଂ ହର୍ମୁଜ ପ୍ରଣାଳୀସ୍ଥିତ ସମୁଦ୍ର ଶଯ୍ୟାରେ ପ୍ରାୟ ୨୦ଟି ଗୁରୁତ୍ବପୂର୍ଣ୍ଣ ଇଣ୍ଟରନେଟ କେବୁଲ ବିଛାଯାଇଛି। ଏସିଆ-ୟୁରୋପ-ଆଫ୍ରିକା ମଧ୍ୟରେ ଏହି କେବୁଲଗୁଡିକ ଗୁରୁତ୍ବପୂର୍ଣ୍ଣ ଇଣ୍ଟରନେଟ ଟ୍ରାଫିକ୍‌ ବ୍ୟବସ୍ଥାକୁ ସମ୍ଭାଳୁଛି। ଏଗୁଡିକ ମଧ୍ୟରେ ଏଏଇ-୧, ଫାଲକନ୍‌, ଗଲ୍‌ଫ ବ୍ରିଜ ଇଣ୍ଟରନ୍ୟାସନାଲ କେବୁଲ ସିଷ୍ଟମ, ଟାଟା-ଟିଜିଏନ ଗଲ୍‌ଫ ଭଳି କେବୁଲ ସାମିଲ ଅଛି। ଗୁଗଲ୍‌, ଆମାଜନ ଓ ମାଇକ୍ରେସଫ୍ଟ ଭଳି ନାମୀ କମ୍ପାନୀଗୁଡିକ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ ଭଳି ଦେଶରେ କୋଟି କୋଟି ଟଙ୍କା ବ୍ୟୟ କରି ଡାଟା ସେଣ୍ଟର ସ୍ଥାପନ କରିଛନ୍ତି।