March 23, 2026 3:06 pm

ବିଜୁ-ନବୀନ ଫାଉଣ୍ଡେସନ ନେଇ ନବୀନଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ସାମାଜିକ ଗଣମାଧ୍ୟମରେ ବିଜୁ-ନବୀନ ଇନ୍ସିପରେସନାଲ୍ ଫାଉଣ୍ଡେସନକୁ ନେଇ ଉଠୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ନବୀନ କହିଛନ୍ତି ଯେ ତାଙ୍କ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକ ମାତ୍ର ୩୦ ବର୍ଷର ଥିଲେ ସେତେବେଳେ ୟୁନେସ୍କୋ ଦ୍ୱାରା ପ୍ରଦାନ କରାଯାଇଥିବା କଳିଙ୍ଗ ପୁରସ୍କାରକୁ ଦାନ କରିଦେଇଥିଲେ। ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ସେ ଏହାକୁ ଦାନ କରିଥିଲେ। ତାଙ୍କ ଜୀବନ କାଳ ମଧ୍ୟରେ ଜନସାଧାରଣଙ୍କ ପାଇଁ ସେ ଏଭଳି ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଭାଇ ପ୍ରେମ୍ ପଟ୍ଟନାୟକ, ଉଭଣୀ ଗୀତ ପଟ୍ଟନାୟକ କଟକ ସ୍ଥିତ ବାସଭବନ ‘ଆନନ୍ଦ ଭବନ’କୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଦାନ କରିଦେଇଛନ୍ତି l ଯେତେବେଳେ ସେ ବେକ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ଏବଂ ପରେ ଦିଲ୍ଲୀ ଗଲେ ସେତେବେଳେ ଏକ ଟ୍ରଷ୍ଟ୍ ଖୋଲିବେ ବୋଲି ଚିନ୍ତା କରିଥିଲେ। ଅନେକ ବିଶ୍ଚିଷ୍ଟ ଆଇନଜୀବୀ ଏବଂ ଚାଟାର୍ଡ୍ ଆକାଉଣ୍ଟାଣ୍ଟଙ୍କ ସହିତ ବିଚାରବିମର୍ଶ ପରେ ବିଜୁ ବାବୁଙ୍କ ନାମରେ ଆଉ ଏକ ଟ୍ରଷ୍ଟ ଖୋଲାଗଲା, ଯାହାର ନାମ ହେଉଛି ‘ବିଜୁ-ନବୀନ ଇନ୍ସିପରେସନାଲ୍ ଫାଉଣ୍ଡେସନ’ । ଏଥିରେ ସେ ନିଜ ଆୟର ଏକ ଲକ୍ଷ ଟଙ୍କା ଦାନ କରୁଛନ୍ତି। ବିଜେଡ଼ି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରୁ କୌଣସି ଫଣ୍ଡ୍ ଆସୁନଥିବା ସ୍ପଷ୍ଟୀକରଣ ଦେଇଛନ୍ତି ନବୀନ। ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ଗଠନ କରାଯାଇଛି। ତେଣୁ ଏହା ବିରୁଦ୍ଧରେ କୌଣସି ନକରାତ୍ମକ ପ୍ରଚାର ପ୍ରସାର ନ କରିବାକୁ ସେ ଅନୁରୋଧ କରିଛନ୍ତି l