February 26, 2026 12:23 am

ପୋଲିସ ରିମାଣ୍ଡରେ ଗଲେ ଦିଲ୍ଲୀ AI ସମ୍ମିଟରେ ପ୍ରଦର୍ଶନକାରୀ କଂଗ୍ରେସ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ:ଭାରତ ମଣ୍ଡପମରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ’ରେ ବିରୋଧ ପ୍ରଦର୍ଶନ ଲାଗି ୟୁଥ କଂଗ୍ରେସର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଶନିବାର ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ଗିରଫର ଦିନକ ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ଶନିବାର ଦିଲ୍ଲୀ ପାଟିଆଲା ହାଉସ କୋର୍ଟରେ ହାଜର କରି ୫ ଦିନିଆ ରିମାଣ୍ଡ ମାଗିଥିଲା। କୋର୍ଟ ରିମାଣ୍ଡର କାରଣ ପଚାରିବା ପରେ ମଞ୍ଜୁର କରିଛନ୍ତି। ତେବେ ବିରୋଧ ପ୍ରଦର୍ଶନକାରୀଙ୍କ ଓକିଲ ପୋଲିସ ରିମାଣ୍ଡକୁ ବିରୋଧ କରିଥିଲେ। କହିଥିଲେ ଏପରି ହେଲେ ଦେଶରେ ଗଣତନ୍ତ୍ରର ମାନେ କିଛି ରହିବ ନାହିଁ। ହେଲେ କୋର୍ଟ ୪ କାର୍ଯ୍ୟକର୍ତ୍ତାଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।କୋର୍ଟରେ ଶୁଣାଣି କାଳରେ ଦିଲ୍ଲୀ ପୋଲିସର ଓକିଲ କହିଥିଲେ ଯେ ଏହି ପ୍ରଦର୍ଶନ କାଳରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା। ନେପାଲ ଜେନ-ଜି ଭଳି ଦେଶକୁ ଭାଗଭାଗ କରିବାର ସ୍ଲୋଗାନ ଦିଆଯାଇଥିଲା। ସେମାନେ ପ୍ରଦର୍ଶନ ଲାଗି ଏପରି ସ୍ଥାନକୁ ବାଛିଥିଲେ ଯେଉଁଠି ବହୁ ସଂଖ୍ୟାରେ ଦେଶ ଦୁନିଆର ପ୍ରତିନିଧି ଥିଲେ। ଏହି ସମୟରେ ପ୍ରଦର୍ଶନକାରୀ ପୋଲିସ ସହିତ ଧସ୍ତାଧସ୍ତି କରିବାରୁ ଦିଲ୍ଲୀ ପୋଲିସର କିଛି କର୍ମଚାରୀଙ୍କୁ ଆଘାତ ଲାଗିଥିଲା l