ଭୁବନେଶ୍ୱର:ଉପକାରଗାର ଜେଲର୍ ଏବଂ ଅଧିକ୍ଷଣ ସନ୍ତୋଷିନୀ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବଦଳି ପରେ କାର୍ଯ୍ୟରେ ଯୋଗ ନ ଦେବାରୁ ତାଙ୍କୁ ଜେଲ୍ ଡିଜି ନିଲମ୍ବିତ କରିଛନ୍ତି । ସନ୍ତୋଷିନୀ ଦାଶ ଚୌଦ୍ୱାର ମଣ୍ଡଳ କାରାଗାରର ଜେଲର୍ ଥିଲେ । ଅକ୍ଟୋବର ମାସରେ ଦୁଇ ଜଣ ବିହାରୀ କଏଦୀ ଚମ୍ପଟ୍ ମାରିବା ପରେ ତାଙ୍କୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଥିଲା । ମାତ୍ର ସେ ବିଭିନ୍ନ ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ଦୀର୍ଘ ଦିନ ହେବ କାର୍ଯ୍ୟରେ ଯୋଗ ଦେଉ ନ ଥିଲେ । ଯେଉଁଥିପାଇଁ ଜେଲ୍ ଡିଜି ଜେଲରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନା ଅନୁଯାଇ ଚୌଦ୍ୱାର କାରାଗାରରୁ ଦୁଇ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଫେରାର ହେବା ଘଟଣାରେ ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ ଦସ୍ତଖତ ଜାଲିଆତିର ଅଭିଯୋଗ ଆଣିଥିଲେ । ଅଧୀକ୍ଷକ ରେଜିଷ୍ଟର୍ ସରକାରୀ ରେକର୍ଡରେ ଜାଲିଆତି ଓ ସରକାରୀ ପଦବୀର ଅପବ୍ୟବହାର କରିଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗକୁ ସୁପରିଣ୍ଟେଣ୍ଡେଣ୍ଟ୍ ସୁଜିତ ରାଉଳ ଖଣ୍ଡନ କରି ସନ୍ତୋଷିନୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ ।









