February 26, 2026 12:13 am

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଲକ୍ଷ୍ୟ ହାସଲ ନେଇ ଆଲୋଚନା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ରଖି ପ୍ରସ୍ତୁତି ହୋଇଥିବା ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ନେଇ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଓଡ଼ିଶାର ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ ପାଇଁ ଏଥିପ୍ରତି ସମସ୍ତ ବିଭାଗମାନେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ସଂପର୍କରେ ନିଯୁକ୍ତି ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଜୁନ୍ ୨୦୨୬ ସୁଦ୍ଧା ୬୫,୦୦୦ ନିଯୁକ୍ତି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନୂତନ ସରକାର ଗଠନ ପରେ ଅଦ୍ୟାବଧି ବିଭିନ୍ନ ବିଭାଗମାନଙ୍କ ଦ୍ୱାରା ନିଯୁକ୍ତି ମେଳା ମାଧ୍ୟମରେ ୩୯,୫୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା । ୩ ମାସ ମଧ୍ୟରେ ଆଉ ୩୪,୬୪୧ ନିଯୁକ୍ତି ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତାବ ମିଳିଛି। ସେଥିପାଇଁ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଆଦିଙ୍କୁ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଛି । ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ରହୁଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗମାନଙ୍କୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ନିୟମିତ ସମୀକ୍ଷା ସହ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ନିୟମିତ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫-୨୬ ବଜେଟ୍ ଅନୁମୋଦନ ଅନୁସାରେ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ବଜେଟ ଖର୍ଚ୍ଚ ଶେଷ କରିବା ଓ ସଂପୃକ୍ତ ବିଭାଗମାନଙ୍କ ଦ୍ୱାରା ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ସଂପର୍କରେ ଆଲୋଚନା କରାଯାଇଥିଲା । ସାଂସଦ ଓ ବିଧାୟକମାନେ ଦେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ, ଏବଂ ପ୍ରକଳ୍ପଗୁଡ଼ିକୁ ବିଭାଗମାନେ ଅନୁଧ୍ୟାନ କରିବା ଏବଂ ସେସବୁର କାର୍ଯ୍ୟକାରିତା ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ।