June 26, 2025 2:41 pm

କେନ୍ଦ୍ର ପରେ ରାଜ୍ୟ  ଦେଲା  ଗରିବଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ

କେନ୍ଦ୍ର ପରେ ରାଜ୍ୟ  ଦେଲା  ଗରିବଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ(ଓଡିଶା)

୧୦ ଲକ୍ଷ ହିତାଧିକାରୀ ମାସକୁ ୫ କେଜି ଚାଉଳ ପାଇବେ 

ଭୁବନେଶ୍ୱର:  ରାଜ୍ୟ ସରକାର ଗରିବ ଲୋକଙ୍କୁ  ଆହୁରି  ପାଞ୍ଚ ବର୍ଷ  ପାଇଁ ମାଗଣା ଚାଉଳ ଯୋଗାଇବାକୁ ନିଷ୍ପତି କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷ ବୃଦ୍ଧି କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏଁ ଚାଉଳ ପାଉଛନ୍ତି । ଯୋଜନାର ଅବଧି ଆଉ ୫ ବର୍ଷ ବଢ଼ିବା ଦ୍ୱାରା ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ ।

ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ରାଜ୍ୟର ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଏ, ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉକି, ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୫ ବର୍ଷ ବୃଦ୍ଧି କରିଛନ୍ତି । ଏହି ଯୋଜନାରେ ଲୋକଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ ଗତ ନଭେମ୍ବର ୨୯ ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ରେ ନିଷ୍ପତ୍ତି ହୋଇଛି । ସେହି ଯୋଜନାରେ ୮୧ କୋଟି ହିତାଧିକାରୀ ଉପକୃତ ହେବେ ।